Categories: ଫୁରସତ

ଜନଜାତି ସଂଗ୍ରହାଳୟ

ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ କେହି ଯଦି ଇଚ୍ଛାକରନ୍ତି ହୁଏତ କେଉଁ ଏକ ଦୂର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯିବାକୁ ହେବ। ତେବେ ଭୁବନେଶ୍ୱରରେ ରହିଛି ଏମିତି ଏକ ଭିନ୍ନ ପରିବେଶ; ଯେଉଁଠି ପର୍ଯ୍ୟଟକ, ଗବେଷକ ଓ ଦର୍ଶକ ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ ବୁଲି ଦେଖିପାରିବେ। ଏଠାରେ ସେମାନଙ୍କ ଚଳଣି, ଜୀବିକା, ଦେବଦେବୀ, ପୂଜାପାର୍ବଣ, ବାସଗୃହ, ଖାଦ୍ୟପଦାର୍ଥ, ଅସ୍ତ୍ରଶସ୍ତ୍ର, ଅଳଙ୍କାର,ଗୃହ ଉପକରଣ, କୃଷି, ମାଛଧରା, ସଂଗୀତ, ନୃତ୍ୟ, ପେଣ୍ଟି, ବେଶପୋଷାକ ଓ କଳା ସଂସ୍କୃତି ଇତ୍ୟାଦି ବିଷୟରେ ଜାଣହେବ। ତେବେ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ସିଆରପି ଛକ ନିକଟରେ ରହିଛି ଏହି ସଂଗ୍ରହାଳୟ। ୧୯୫୨ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନଟି ପ୍ରତିଷ୍ଠା ହୋଇଛି।

ଏହି ପରିସରରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ରହିଛି। ପ୍ରାୟ ୧୮ଏକର ପରିମିତ ଜମି ଉପରେ ବିଭିନ୍ନ କ୍ଷେତ୍ର ନିର୍ମାଣ ହୋଇଛି। ଏହା କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ସହାୟତାରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ସ୍ଥାପିତ ହୋଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିତ୍ବା ଏହି ଜନଜାତି ସଂଗ୍ରହାଳୟର ଉନ୍ନତୀକରଣ ହୋଇପାରିଛି। ଏଠାରେ ଅନେକ ଦୁଷ୍ପ୍ରାପ୍ୟ କଳା ଓ କଳାବସ୍ତୁଗୁଡ଼ିକୁ ପ୍ରଦର୍ଶିତ କରାଯାଇଥାଏ। ଏଗୁଡ଼ିକୁ ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକ, ଗବେଷକମାନେ ଆସିଥାନ୍ତି। ସଂଗ୍ରହାଳୟରେ ପ୍ରାୟ ୫ଟି ଜନଜାତି ସମ୍ପ୍ରଦାୟ ଯଥା- ସାନ୍ତାଳ, ଜୁଆଙ୍ଗ, ସଉରା, ଗଦବା ଓ କନ୍ଧମାନଙ୍କ ପାଇଁ କୁଟୀର ନିର୍ମାଣ ହୋଇଛି। ଏହା ସେମାନଙ୍କ ସ୍ଥାପତ୍ୟକଳାର ପରିଚୟ ବହନକରେ। ଏକ ଗାଲେରିରେ ଆଦିବାସୀଙ୍କ ଅଳଙ୍କାର, ତୈଳଚିତ୍ର, ଫଟୋଗ୍ରାଫ, କୃଷିଯନ୍ତ୍ରପାତି, ବାଦ୍ୟଯନ୍ତ୍ର, ଡୋକ୍ରା ଦ୍ରବ୍ୟ ଆଦି ରହିଛି। ପ୍ରାୟ ୩୮ ପ୍ରକାର ଆଦିବାସୀଙ୍କ ବ୍ୟବହୃତ ସାମଗ୍ରୀ ରହିଛି। ୬୨ ପ୍ରକାରର ଆଦିବାସୀଙ୍କ ପାରମ୍ପରିକ ବାସଗୃହ ସମ୍ପର୍କରେ ଜାଣିହେବ । ବିଭିନ୍ନ ଜନଜାତିର ଆରାଧ୍ୟା ଦେବତାଙ୍କ ପ୍ରତିମା ସ୍ଥାନ ପାଇଛି। ଏଠାରେ ବହୁବର୍ଷର ପୁରୁଣା ସାମଗ୍ରୀ ସ୍ଥାନ ପାଇଛି। ଜନଜାତି ସଂସ୍କୃତିର ନିଜସ୍ବ କଳା କାରିଗରି, ପାରମ୍ପରିକ ସ୍ବାସ୍ଥ୍ୟ ଓ ପରିମଳ ସ୍ବଚ୍ଛତା ଆଦି ପ୍ରତିଟି କ୍ଷେତ୍ରରେ ସ୍ବତନ୍ତ୍ରତା ରହିଛି। ପ୍ରଶିକ୍ଷଣ ପ୍ରତିଷ୍ଠାନର ସବୁଜିମାଭରା ପ୍ରାଙ୍ଗଣରେ ଏହି ଜନଜାତି ସଂଗ୍ରହାଳୟଟି ଅବସ୍ଥିତ। ଆଦିବାସୀମାନେ ବ୍ୟବହାର କରୁଥିବା ମୁଦ୍ରାମାଳି, କାଚମାଳି ମଧ୍ୟ ସୁସଜ୍ଜିତ କରାଯାଇଛି। ସଂଗ୍ରହାଳୟଟିରେ ବିବିଧ କୃଷି ଉପକରଣ ଆଦିର ଏକ ସ୍ବତନ୍ତ୍ର ବିଭାଗ ରହିଛି। ସାଧାରଣ କୃଷି ସହିତ ପୋଡ଼ୁଚାଷ ଆଦିର ଝଲକ ଏଠାରେ ଉପସ୍ଥାପନ କରାଯାଇଛି। ଏହି ସଂଗ୍ରହାଳୟର ଅନ୍ୟ ଏକ କକ୍ଷରେ ଆଦିମ ଜନଜାତିଙ୍କ ଶିକାର ଓ ମାଛଧରା ଉପକରଣମାନ ପ୍ରଦର୍ଶିତ । ଏଥିରେ କନ୍ଧଙ୍କ କୁଠାର, ପରଜାଙ୍କ ବର୍ଚ୍ଛା, ବିଭିନ୍ନ ବର୍ଗର ଜନଜାତିମାନେ ବ୍ୟବହାର କରୁଥିବା ନାନା ପ୍ରକାରର ଧନୁ ଓ ତୀର ସଂରକ୍ଷିତ ରଖାଯାଇଛି। ସଂଗ୍ରହାଳୟରେ ସୁସଜ୍ଜିତ ଜନଜାତି ତୈଳଚିତ୍ର ଓ ଆଲୋକଚିତ୍ର ମାଧ୍ୟମରେ ସେମାନଙ୍କ ଦୈନନ୍ଦିନ ସରଳ ଜୀବନ ଧାରାର କାହାଣୀ ପ୍ରଦର୍ଶିିତ । ସଉରା ଓ ଡଙ୍ଗରିଆଙ୍କ ସାମାଜିକ ଓ ଧାର୍ମିକ ପୂଜାବିଧି ସମୟର ଅବିକଳ ଫଟୋଚିତ୍ର ରଖାଯାଇଛି। ସଉରାଙ୍କ କାନ୍ଥଚିତ୍ର, କୋୟାମାନଙ୍କ ସମବେତ ନୃତ୍ୟ ପ୍ରଦର୍ଶନ ଶୈଳୀ ଓ ପାରମ୍ପରିକ ବେଶଭୂଷା ପୋଷାକର ଫଟୋଚିତ୍ର ଦେଖିବାକୁ ମିଳେ। ଧାର୍ମିକ ଦୃଷ୍ଟିକୋଣରୁ ଦେଖିଲେ ଜନଜାତି ଓ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବଦେବୀଙ୍କ ପୀଠରେ ଅନେକ ପ୍ରକୃତିଗତ ବୈଶିଷ୍ଟ୍ୟ ଓ ବିଚିତ୍ର ବିଲକ୍ଷଣ ପରିଲକ୍ଷିତ ହୁଏ। ସଂଗ୍ରହାଳୟରେ ପ୍ରଶସ୍ତ ଓ ମୁକ୍ତ ପ୍ରାଙ୍ଗଣରେ ଅନେକ ଦେବଦେବୀଙ୍କ ପୀଠ ପ୍ରତିଷ୍ଠା କରାଯାଇଛି। ଏସବୁ ଜନଜାତି ସଂସ୍କୃତିର ପ୍ରତିରୂପ ପ୍ରତିଫଳନ କରେ। ଏଠାରେ ଥିବା ପ୍ରସ୍ତରଖଣ୍ଡ, ଖୋଦିିତ କାଷ୍ଠସ୍ତମ୍ଭ ଓ ବାଉଁଶ ଜନଜାତି ପୂଜା ଆରାଧନାର ପ୍ରାକୃତିକ ଉପାଦାନ।

ୟୁନେସ୍କୋର ସର୍ବଶ୍ରେଷ୍ଠ ସଂଗ୍ରହାଳୟ ତାଲିକା ମଧ୍ୟରେ ଏହି ସଂଗ୍ରହାଳୟଟି ସ୍ଥାନ ପାଇଛି। ଆଦିମ ଜନଜାତିଙ୍କ ପାଇଁ ନୂତନ ସଂଗ୍ରହାଳୟର ପରିବେଶ ଖୁବ୍‌ ସୁନ୍ଦର । ଏଠାର ପରିବେଶରେ ସବୁଜ ଘାସ, ଗଛଲତା ଓ ଅନେକ ରଙ୍ଗର ଫୁଲ ସମ୍ଭାରରେ ପରିପୂର୍ଣ୍ଣ। ଏହା ଦର୍ଶକଙ୍କୁ ଜନଜାତି ବସତିର ଭ୍ରମ ସୃଷ୍ଟିକରେ। ଏଠାକୁ ବର୍ଷର ବିଭିନ୍ନ ସମୟରେ ଦର୍ଶକ ବୁଲିବାକୁ ଆସଥାନ୍ତି। ମାତ୍ର କେତେକ ସରକାରୀ ଛୁଟିରେ ଏହି ସଂଗ୍ରହାଳୟଟି ବନ୍ଦ ରହିଥାଏ। ଏହି ଆଦିବାସୀ ସଂଗ୍ରହାଳୟକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରନ୍ତି। ବିଭିନ୍ନ ବିଷୟରେ ଜାଣିବା ପାଇଁ ସଂଗ୍ରହାଳୟ ସମ୍ପର୍କରେ ସୂଚନାପତ୍ର ରହିଛି ।
-ବନବିହାରୀ ବେହେରା

Share