ପଟ୍ଟାଙ୍ଗୀ,୨୦।୧(ଡି.ଏନ୍.ଏ.) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଧବାର ଆଦିବାସୀ ମାନ୍ୟତା ଦାବି ଉଠାଇଛି ଦୋରା ମହାସଂଘ। ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ନେତାମାନେ ନିର୍ବାଚନ ସମୟ ଆସିଲେ ଭୋଟ ହାତେଇବା ଲାଗି ପ୍ରତିଶ୍ରୁତି ଦେଇ ପରେ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦୋରା ସମ୍ପ୍ରଦାୟର ଲୋକମାନେ ୧୯୭୦ରୁ ଆଦିବାସୀ ମାନ୍ୟତା ଦାବିକରି ଆସୁଥିଲେ ମଧ୍ୟ ଏହି ଦାବିକୁ ଅଣଦେଖା କରାଯାଉଛି। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ଗେମେଲ ପ୍ରଶ୍ନ ଉଠାଇଛନ୍ତି। ଆଦିବାସୀ ମାନ୍ୟତା ନେଇ ଆମେ ଦୀର୍ଘଦିନ ହେଲା ତହସିଲଦାରଙ୍କଠାରୁ ଆରମ୍ଭକରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି। ରାଜନେତାମାନେ ଆମକୁ ଲିଖିତ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ କରିନାହାନ୍ତି। ୨୦୧୨ରେ ଜୟରାମ ପାଙ୍ଗୀ, ପ୍ରଫୁଲ୍ଲ କୁମାର ପାଙ୍ଗୀ, ରବି ନନ୍ଦ ଏବଂ ରଘୁରାମ ପଡାଲ ଆମକୁ ଲିଖିତ ପ୍ରତିଶ୍ରୁତି ଦେଇ ପରେ ପ୍ରତିଶ୍ରୁତି ପାଳନ କରିବାକୁ ଭୁଲିଯାଇଛନ୍ତି ବୋଲି ଗେମେଲ କହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ଷ୍ଟାମ୍ପ କାଗଜରେ ଲିଖିତ ପ୍ରତିଶ୍ରୁତି ଦେଇ ଆମଠାରୁ ଭୋଟ ହାତେଇବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଭୁଲିଯାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଦୁଇ ବିଧାୟକ ପିତମ ପାଢ଼ୀ ଓ କୋରାପୁଟ ବିଧାୟକ ରଘୁରାମ ପଡାଲ ଆମକୁ ଜିଲା ସଦର ମହକୁମାକୁ ଡକାଇ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଭୁଲିଯାଇଥିବା ଗେମେଲ କହିଛନ୍ତି। ଏ ସମ୍ପର୍କରେ କେହି ଥରେ ମଧ୍ୟ ବିଧାନସଭାରେ ଉଠାଇନାହାନ୍ତି।
ସଂଘ ଆବାହକ ତାଉଡୁ ଦୋରା କହିଛନ୍ତି, ଚଳିତ ପଞ୍ଚାୟତ ନିର୍ବାଚନରେ ଆମେ ମତଦାନ କରିବୁ। ମାତ୍ର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟଙ୍କ ଦ୍ୱାରା ପଲ୍ଲିସଭା ଓ ଗ୍ରାମସଭା ଦ୍ୱାରା ଆମ ଦୀର୍ଘ ବର୍ଷର ଦାବି ଉଠାଇବୁ। ଏଥିରେ ଅସହଯୋଗ କଲେ ବିଧାନସଭାଠାରୁ ଆରମ୍ଭକରି ବିଧାୟକ ଓ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ କରିବୁ ବୋଲି ତାଉଡୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଦୋରା ସମ୍ପ୍ରଦାୟ ୨୦୦୯ ସାଧାରଣ ନିର୍ବାଚନ, ୨୦୧୨ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶଙ୍କର ପାଙ୍ଗୀ , ଉପଦେଷ୍ଟା ଟି. ଗୋପାଳରାଓଙ୍କ ସମେତ ସଂଘ ସଦସ୍ୟମାନେ ଉପସ୍ଥିତ ଥିଲେ।