ଦିଗପହଣ୍ଡି,୨୭ା୧୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଡ଼ଡିମ୍ବୁଳା ପଞ୍ଚାୟତର ତଡ଼ା, ଖେମୁଣ୍ଡା, ଛଣବଗଡ଼ ଗ୍ରାମର ବହୁ ଆଦିବାସୀ ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ୩ଟି ଗାଁକୁ ରାସ୍ତା, ପାନୀୟ ଜଳର ସୁବିଧା ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଦିନିଆ ରାସ୍ତା ନ ଥିବାରୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧା ଭୋଗୁଛନ୍ତି। ସେହିପରି ରୋଗୀଙ୍କୁ ଡାକ୍ତରଖାନା ନେବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ସମସ୍ୟା ଜର୍ଜରିତ ୩ଟି ଗ୍ରାମର ବାସିନ୍ଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ ଦାବି ପୂରଣ ପାଇଁ ବିକ୍ଷୋଭ କରିଥିଲେ। ବିଡ଼ିଓ ଉପସ୍ଥିତ ନ ଥିବାରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ରଥଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ୨ ମାସ ମଧ୍ୟରେ ଦାବି ପୂରଣ କରାନଗଲେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।