ଡ୍ୟାମ୍‌ ନିର୍ମାଣକୁ ବିରୋଧ କରି ଆଦିବାସୀଙ୍କ ପ୍ରଜାମେଳି

ମାଲକାନଗିରି/ମାଥିଲି,୨୯ା୧୨(ଡି.ଏନ.ଏ.): ଓଡ଼ିଶା ସୀମାରେ ପଡୋଶୀ ଛତିଶଗଡ଼ର ପ୍ରକଳ୍ପକୁ ବିରୋଧ କରି ଗୁରୁବାର ଶତାଧିକ ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀ ସଂଘ ମାଧ୍ୟମରେ ଏକାଠି ହୋଇ ମେଳି କରି ଏହାର ପ୍ରତିବାଦ କରିଛନ୍ତି। ଛତିଶଗଡ଼ ମାଲକାନଗିରି ଜିଲା ସୀମାନ୍ତ ସାବେରୀ ନଦୀର ଭୀମସେନ ଘାଟରେ କୋକ୍ରାଲ ଡ୍ୟାମ୍‌ ନିର୍ମାଣ କରୁଛି। ଏହି ଡ୍ୟାମ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରି ଜିଲା ମାଥିଲି ବ୍ଲକର ୬ଟି ପଞ୍ଚାୟତ କମାରପାଲି, ମହୁପଦର, ସାଲିମି, ଟେମୃପାଲି, କତାପାଲି ଓ କର୍ତ୍ତନପାଲି ପଞ୍ଚାୟତ ପ୍ରଭାବିତ ହେବ। ଏହି ପଞ୍ଚାୟତଗୁଡିକର ମୋଟ ୪୮ଟି ଗ୍ରାମ ବୁଡ଼ିଯିବା ସହ ଅନେକ ପରିବାର ସେମାନଙ୍କ ଭିଟାମାଟି ହରାଇବେ।

ଅଧିବାସୀମାନେ ପୂର୍ବରୁ ଡ୍ୟାମ ନିର୍ମାଣକୁ ବିରୋଧ କରି ଆସୁଛନ୍ତି। ମାତ୍ର ଛତିଶଗଡ଼ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ। ବର୍ତ୍ତମାନ ସୁଦ୍ଧା ଡ୍ୟାମ କାର୍ଯ୍ୟ ବନ୍ଦ ନ ହେବାରୁ ସ୍ଥାନୀୟ ଲୋକେ ପ୍ରଜାମେଳି କରି ମରିବେ ପଛେ ଭିଟାମାଟି ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି। ଆଗାମୀ ଦିନରେ ଛତିଶଗଡ଼ ସରକାର ଡ୍ୟାମ୍‌ ନିର୍ମାଣରୁ ନ ହଟିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷରେ ଏହା ଜଣାପଡିବା ପରେ ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Share