କେଉଁ ଦିନ ପାଳନ ହୁଏ ଆଦିବାସୀ ଦଶହରା, କ’ଣ ରହିଛି ପରମ୍ପରା

ଡାବୁଗାଁ,୨୭।୧୦(ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି, କୁର୍ଚି ଓ ଶିରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ଲାଠି, କୁର୍ଚି ଡାବୁଗାଁ ମା’ ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ। ସେଠାରୁ ଲାଠି, କୁର୍ଚି, ଶିରା ଓ ଦିଶାରୀମାନେ ସଜ୍ଜିତ ହୋଇ ପାରମ୍ପରିକ ଢୋଲ ମର୍ଦଳର ତାଳେ ତାଳେ ଗ୍ରାମ ପରିକ୍ରମା କରି ମା’ ଡାବାଦେଇ ମନ୍ଦିରରେ ପହଞ୍ଚି ଥିଲେ। ଏହା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମି ଥିଲା

ଏପରିକି ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ କୋରାପୁଟ ଜିଲା ଗଞ୍ଜେଇପଦର ଗ୍ରାମର ଆଦିବାସୀ ନାଟକ ଭୁବନ ଗୁରୁଙ୍କ ନିର୍ଦ୍ଦେଶିତ ‘ଦିଲ ଦେଇ ବରବାଦ ହେଲି’ ଏବଂ କୁନ୍ଦ୍ରା ଗ୍ରାମର କର୍ଣ୍ଣ ଗୁରୁଙ୍କ ନିର୍ଦ୍ଦେଶିତ ‘ଦୁଃଖ ଦେଇଗଲା ଜୀବନ ସାଥୀ’ ପଦର୍ଶିତ ହୋଇଛି। କାର୍ଯ୍ୟକ୍ରମକୁ ଡାବୁଗାଁ ଦୂର୍ଗା ପୂଜା କମିଟି ପରିଚାଳନା କରିଥିଲେ। ପ୍ରକାଶ ଯେ, ଆଶ୍ୱିନ ମାସରେ ପଡ଼ୁଥିବା ଦଶହରା ପରେ ଯେଉଁ ଗୁରୁବାର ପଡିଥାଏ ସେହିଦିନ ଆଦିବାସୀ ଦଶହରା ପାଳିତ ହୋଇଥାଏ।

Share