ଟାଟା ଷ୍ଟିଲ ଯୋଡାରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଭାରତର ଅନ୍ୟତମ ସମ୍ମାନଜନକ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ ଯୋଡା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ରତନ ଟାଟା ଅକ୍ଟୋବର ୯, ୨୦୨୪ ରେ ମୁମ୍ବାଇଠାରେ ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ ହୋଇଛି।

ଯୋଡା ସେଣ୍ଟ୍ରାଲ ଅର୍ଗାନାଇଜେଶନ (ଜେସିଓ)ଠାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଅଧିକାରୀ, ଶ୍ରମିକ ସଂଘର ଅଧିକାରୀ ଏବଂ କର୍ମଚାରୀମାନେ ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।

ସେହିପରି ଯୋଡା ଇଷ୍ଟ ଲୌହ ଖଣି, ଖଣ୍ଡବନ୍ଧ ଲୌହ ଖଣି, ନୀଳାଚଳ ଖଣି, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ, ଆର ଏମ ପି ଅଫିସ ଏବଂ ଫେରୋ ପ୍ଲାଣ୍ଟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ଏହି ସଭାରେ ସମସ୍ତେ ରତନ ଟାଟାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ଥିବା ରତନ ଟାଟା କେବଳ ଜଣେ ଦୂରଦର୍ଶୀ ନେତୃତ୍ୱ ନଥିଲେ ବରଂ ଜଣେ ସମାଜସେବୀ ମଧ୍ୟ ଥିଲେ, ଯାହାର ପ୍ରଭାବ କର୍ପୋରେଟ ଜଗତ ବାହାରେ ମଧ୍ୟ ପରିଚିତ ହୋଇଥିଲା । ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ ଇସ୍ପାତ, ଅଟୋମୋବାଇଲ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବିସ୍ତାର କରି ଭାରତର ଶିଳ୍ପ ପରିଦୃଶ୍ୟକୁ ଗଢ଼ିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

Share