କୁକୁର ଏକାଦଶାହ ପାଳିଲେ ମାଲିକ

ଖୋର୍ଦ୍ଧା ଅଫିସ,୨୭ା୧୦: ସମାଜର ମଣିଷ ଜାତିରେ କେହି ମୃତ ହେଲେ ଦଶାହ, ଏକାଦଶାହ ହୋଇଥାଏ। ଏଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମୃତବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଉଦ୍ଦେଶ୍ୟରେ ରନ୍ଧା ହୋଇ ଖାଦ୍ୟ ଅର୍ପଣ କରାଯାଇଥାଏ। ହେଲେ ଏକ କୁକୁର ମୃତ୍ୟୁରେ ତା’ ମାଲିକ ଭାବପ୍ରବଣ ହୋଇ ଏକାଦଶାହ ପାଳିଛନ୍ତି। ଏହି ଅବସରରେ କୁକୁର ଆତ୍ମାର ଶାନ୍ତି ପାଇଁ ଖାଦ୍ୟ ରାନ୍ଧି ଅର୍ପଣ କରିଛନ୍ତି।

ଏଭଳି ଆଚମ୍ବିତ ଘଟଣା ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ ବଡ ଇଚ୍ଛାପୁର ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ସୁଧୀର କୁମାର ସାହୁ ଏକ ବୁଲା କୁକୁରକୁ ଛୋଟ ଅବସ୍ଥାରୁ ପାଳିଥିଲେ। ଅତି ସ୍ନେହ ଶ୍ରଦ୍ଧାର ସହ ତା’ର ଯତ୍ନ ନେଉଥିଲେ। ତା ନାଁ ଦେଇଥିଲେ ବୈକୁଣ୍ଠ। ଘରର ଜଣେ ସଦସ୍ୟ ଭାବେ ରହୁଥିଲା ବୈକୁଣ୍ଠ। ଉଭୟଙ୍କ ମଧ୍ୟରେ ଅନାବିଳ ସମ୍ପର୍କ ଥିଲା। ଏହି ସମ୍ପର୍କର ସେତୁ ଏପରି ନିବିଡ ରହିଥିଲା ଯେ, କୌଣସି କାମରେ ବାହାରକୁ ଗଲେ ସୁଧୀରର ଫେରିବା ବାଟକୁ ଚାହିଁ ରହୁଥିଲା ବୈକୁଣ୍ଠ। ସେ ଥିଲା ତାଙ୍କର ସୁଖ ଦୁଃଖର ସାଥୀ। ହେଲେ ହଠାତ୍‌ ଦିନେ କୁକୁର ବୈକୁଣ୍ଠ କୌଣସି ରୋଗ ହୋଇ ଅସୁସ୍ଥ ହୋଇପଡ଼ିଲା। ପରେ ଚିକିତ୍ସା କରିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଶେଷରେ ମୃତ୍ୟୁ ଘଟିଥିଲା। ବୈକୁଣ୍ଠର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଥିଲେ ସୁଧୀର। ତା’ର ଅବର୍ତ୍ତମାନରେ ସ୍ମୃତିଚାରଣ ଏବଂ ଆତ୍ମାର ସଦ୍‌ଗତି ନିମନ୍ତେ ଏକାଦଶାହରେ ଗାଁ ମନ୍ଦିରରେ ଭୋଜିର ଆୟୋଜନ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଂଶସା କରିବା ସହ ସମସ୍ତେ ସାମିଲ ହୋଇଥିଲେ।

ଏ ନେଇ ସୁଧୀର କୁହନ୍ତି, ତାକୁ ଅତି ଆଦର ସହ ପାଳିଥିଲି। ତା’ସହ ମୋର ନିବିଡ଼ ବନ୍ଧୁତା ହୋଇଯାଇଥିଲା। ପ୍ରତି ଜୀବ ଦେହରେ ଆତ୍ମା ଅଛନ୍ତି। ଏଣୁ ତା’ର ଦେହାନ୍ତରେ ଆତ୍ମା ଶାନ୍ତି ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ଲାଗି ଚିନ୍ତନ କରିଥିଲି। ଏଥିରେ ପରିବାର ଏବଂ ସାଙ୍ଗସାଥୀ ସମସ୍ତେ ସାମିଲ ହୋଇଥିଲେ। ଯୁବ ସାମାଜିକ କର୍ମୀ ସଂଗ୍ରାମ ହୋତା କୁହନ୍ତି, କୁକୁର ଅତି ବିଶ୍ୱସ୍ତ। ପୋଷା ମାନି ଘରେ ରହିଥାଏ। ଘର ଲୋକଙ୍କ ସହ ସୁଖଦୁଃଖର ସାଥୀ ଭଳି ଚଳିଥାଏ। ମାଲିକ ପାଇଁ ଆବଶ୍ୟକ ପଡିଲେ ଜୀବନ ହାରିଦିଏ। ତେବେ କୁକୁର ପ୍ରତି ରହିଥିବା ଏକ ନିଆରା ଭାବ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ।