Categories: ଖେଳ

ଆଇଡବ୍ଲ୍ୟୁଏଲ୍‌ ଟାଇଟଲ ଲକ୍ଷ୍ୟରେ ଶ୍ରଦ୍ଧାଞ୍ଜଳି

ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଶ୍ରଦ୍ଧାଞ୍ଜଳି ପଣ୍ଡା। କେନ୍ଦ୍ରାପଡ଼ା ଆଳିରୁ ଆସିଥିବା ଏହି ୨୪ ବର୍ଷୀୟା ମହିଳା ଫୁଟ୍‌ବଲର ଅନେକ ବାଧାବିଘ୍ନ ଅତିକ୍ରମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ପ୍ର-ଫୁଟ୍‌ବଲ ପ୍ରତି କିଭଳି ଆକର୍ଷିତ ହେଲେ?
ଉ: ସ୍କୁଲରେ ପଢ଼ିବା ସମୟରୁ ଖେଳକୁଦ ଭଲ ଲାଗୁଥିଲା। ନବମ ଶ୍ରେଣୀ ପର୍ଯ୍ୟନ୍ତ ଫୁଟ୍‌ବଲ ସମ୍ପର୍କରେ କୌଣସି ଜ୍ଞାନ ନ ଥିଲା। ତେବେ ସାଙ୍ଗମାନଙ୍କୁ ଦେଖି ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲି।
ପ୍ର-ନିଜ ସମ୍ପର୍କରେ କିଛି କୁହନ୍ତୁ?
ଉ:ମୁଁ କେନ୍ଦ୍ରାପଡ଼ା ଆଳିର ବାସିନ୍ଦା। ପିତା କରୁଣାକର ପଣ୍ଡା ଜଣେ ରୋଷେୟା ଏବଂ ମା’ ପ୍ରମିଳା ପଣ୍ଡା ଗୃହିଣୀ। ନବମ ଶ୍ରେଣୀରୁ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲି। ୨୦୧୫ରେ ଆନ୍ତଃସ୍କୁଲ ଜାତୀୟ ଫୁଟ୍‌ବଲ ପାଇଁ ଓଡ଼ିଶା ଦଳ ପକ୍ଷରୁ ମନୋନୀତ ହୋଇଥିଲି। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁନି।
ପ୍ର-ଫୁଟ୍‌ବଲ ଆରମ୍ଭରେ କିଛି ଅସୁବିଧା ରହିଥିଲା କି?
ଉ:ହଁ, ଏକ ସାଧାରଣ ପରିବାରରୁ ଆସିଥିବା ଜଣେ ଝିଅକୁ ଫୁଟ୍‌ବଲ ଖେଳିବାକୁ ଆରମ୍ଭରୁ ବିରୋଧ କରାଯାଇଥିଲା। ଫୁଟ୍‌ବଲ ପ୍ରତି ଥିବା ଭଲପାଇବା କାରଣରୁ ପ୍ରଥମେ ଲୁଚି ଲୁଚି ଖେଳୁଥିଲି। ତେବେ ପ୍ରଥମଥର ପାଇଁ ଓଡ଼ିଶା ଦଳ ଟ୍ରାଏଲରେ ସିଲେକ୍ସନ ହେବା ପରେ ପରିବାର ଲୋକଙ୍କ ଧାରଣା ବଦଳି ଯାଇଥିଲା।
ପ୍ର-ଫୁଟ୍‌ବଲର ଭାବେ ଆପଣଙ୍କ ଆଦର୍ଶ କିଏ?
ଉ:ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ପ୍ୟାରୀ ଖାଖାଙ୍କୁ ମୁଁ ମୋର ଆଦର୍ଶ ଭାବରେ ମାନି ଫୁଟ୍‌ବଲର ଯାତ୍ରା ଆରମ୍ଭ କରିଥିଲି। ସୌଭାଗ୍ୟବଶତଃ ଉଭୟଙ୍କ ସହିତ ଖେଳିବାର ସୁଯୋଗ ମଧ୍ୟ ମିଳିଛି। ନନ୍ଦକିଶୋର ସାର୍‌ଙ୍କ ଏକାଡେମୀରେ ଅଭ୍ୟାସ କରିବା ସମୟରେ ଶ୍ରଦ୍ଧାଞ୍ଜଳି ମାଡାମ ଆମର କୋଚ୍‌ ଥିଲେ। ସେହିପରି ଓଡ଼ିଶା ଏଫ୍‌ସିରେ ପ୍ୟାରୀ ଖାଖାଙ୍କ ନେତୃତ୍ୱରେ ଖେଳିବାର ସୁଯୋଗ ମିଳିଛି।
ପ୍ର-ଚଳିତ ସିଜନରେ ବାଲା ଦେବୀ ଓଏଫ୍‌ସିରେ ଯୋଗଦେଉଛନ୍ତି, ତାଙ୍କଠାରୁ କ’ଣ ଆଶା ରଖିଛନ୍ତି?
ଉ:ଭାରତୀୟ ମହିଳା ଦଳର ଅଧିନାୟିକା ଭାବେ ସେ ଆମ ପାଇଁ ପ୍ରେରଣା। ଜଣେ ଫରଓ୍ବାର୍ଡ ଖେଳାଳି ଭାବରେ ବାଲା ଦେବୀ ବେଶ୍‌ ପ୍ରସିଦ୍ଧ। ତାଙ୍କ ନିକଟରେ ରହିଥିବା ଅଭିଜ୍ଞତାରୁ ଫାଇଦା ନେବାକୁ ପ୍ରୟାସ କରିବି। ସେ ପ୍ରତିପକ୍ଷ ଡିଫେନ୍ସ ଭେଦ କରିବାକୁ କିଭଳି ଯୋଜନା କରନ୍ତି ତାହା ଜାଣିବାକୁ ଚେଷ୍ଟା କରିବି। ମୁଁ ଜଣେ ଡିଫେଣ୍ଡର ହୋଇଥିବାରୁ ଏହା ସହାୟକ ହେବ।
ପ୍ର-ଓଏଫ୍‌ସିରେ ଆପଣଙ୍କ ଅଭିଜ୍ଞତା କିଭଳି ରହିଛି?
ଉ:ଓଏଫ୍‌ସିରେ ମୁଁ ନଭେମ୍ବର ୯, ୨୦୨୨ରେ ଯୋଗଦେଇଥିଲି। ଏହି ଦଳରେ ପ୍ୟାରୀ ଖାଖା ଓ ଜୁଲି କିଶାନଙ୍କ ପରି ଅନ୍ତର୍ଜାତୀୟ ଅଭିଜ୍ଞତା ରଖିଥିବା ଖେଳାଳି ଅଛନ୍ତି। କ୍ରିସ୍ପିନ୍‌ ଛେତ୍ରୀ ମୁଖ୍ୟ କୋଚ୍‌ ଭାବେ ରହିଥିବା ବେଳେ ଗାୟତ୍ରୀ ମଲ୍ଲିକ ସହକାରୀ କୋଚ୍‌। କୋଚିଂ ଷ୍ଟାଫ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପକ୍ଷରୁ ସହଯୋଗ ମିଳୁଥିବାରୁ ଦଳର ମାହୋଲ ବେଶ୍‌ ବଢ଼ିଆ ରହିଛି।
ପ୍ର-ଓଏଫ୍‌ସି ଓଡ଼ିଶା ଓମେନ୍ସ ଲିଗ୍‌ ବିଜୟୀ ହୋଇଥିବା ବେଳେ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ କ’ଣ ଯୋଜନା ରହିଛି?
ଉ:ଅପରାଜେୟ ଭାବେ ଆମେ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ହାସଲ କରିଛୁ। ବାଲା ଦେବୀଙ୍କ ଟିମ୍‌ରେ ଯୋଗଦେଇଥିବାରୁ ଆମେ ଅଧିକ ଶକ୍ତିଶାଳୀ ହୋଇଛୁ। ତେଣୁ ଓଏଫ୍‌ସି ଚାମ୍ପିୟନ ହେବାର ଲକ୍ଷ୍ୟ ରହିଛି।
ପ୍ର-ଏହା ଆପଣଙ୍କର ତୃତୀୟ ଓମେନ୍ସ ଲିଗ୍‌। ଏ ସମ୍ପର୍କରେ କିଛି କୁହନ୍ତୁ?
ଉ:୨୦୧୮ରେ ରାଇଜିଂ ଷ୍ଟୁଡେଣ୍ଟ ଏବଂ ୨୦୨୧ରେ ଅହମ୍ମଦାବାଦର ଆରା ଏଫ୍‌ସି ପାଇଁ ଦୁଇ ଦୁଇଥର ଖେଳିସାରିଛି। ତୃତୀୟଥର ଓଏଫ୍‌ସିର ପ୍ରତିନିଧିତ୍ୱ କରୁଥିବାରୁ ବେଶ୍‌ ଖୁସି ଲାଗୁଛି।
ପ୍ର-କେନ୍ଦ୍ରାପଡ଼ା ଆଳିରୁ ଓଡ଼ିଶା ଏଫ୍‌ସି ପର୍ଯ୍ୟନ୍ତ ଆପଣଙ୍କର ଯାତ୍ରା ସମ୍ପର୍କରେ କିଛି କୁହନ୍ତୁ?
ଉ:କେନ୍ଦ୍ରାପଡ଼ାର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ। ଫୁଟ୍‌ବଲରେ କ୍ୟାରିୟର ଆରମ୍ଭ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ୨୦୧୫-୧୭ ଯାଏ ସ୍ପୋର୍ଟସ ହଷ୍ଟେଲ ଏବଂ ୨୦୧୮ରେ ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ଖେଳିଥିଲି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ନନ୍ଦକିଶୋର ପଟ୍ଟନାୟକଙ୍କ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲି। ଏହି ସମୟରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଅଧୀନରେ ଅଭ୍ୟାସ କରିବାର ସୁଯୋଗ ମଧ୍ୟ ମିଳିଥିଲା। ୨୦୨୧ରେ ଆରା ଏଫ୍‌ସି ପାଇଁ ୩ ମାସ ଓ କେରଳର ଲର୍ଡସ୍‌ ଏଫ୍‌ସି ପାଇଁ ୨ ମାସ ଖେଳିଛି। କ୍ୟାରିୟରର ଉତ୍ଥାନରେ ଅନେକ ସଂଘର୍ଷ ରହିଥିଲେ ମଧ୍ୟ କୋଚ୍‌ମାନଙ୍କ ସହଯୋଗ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଛି।
ପ୍ର-ଆଗାମୀ ଦିନ ପାଇଁ କ’ଣ ଯୋଜନା ରହିଛି?
ଉ:ରାଜ୍ୟ ତଥା ଦେଶ ପାଇଁ ପଦକ ଜିତିବା ମୋର ଏକମାତ୍ର ଲକ୍ଷ୍ୟ। ଆଗାମୀ ଦିନରେ ଓଡ଼ିଶା ଲାଗି ପଦକ ଜିତିବା ସହ ପ୍ୟାରୀଦିଦିଙ୍କ ପରି ଜାତୀୟ ଦଳରେ ସ୍ଥାନ ହାସଲ କରିବା ମୋର ଅଭିଳାଷ ରହିଛି।
-ପ୍ରସ୍ତୁତି: ସରୋଜ କୁମାର ଜେନା

Share