ଲତାଙ୍କ ମୃତ୍ୟୁରେ ପାକିସ୍ତାନରେ ଶୋକ: ମନ୍ତ୍ରୀ କହିଲେ, ସ୍ବରର ଯାଦୁ ସବୁଦିନ ପାଇଁ ରହିବ

ଇସଲାମାବାଦ,୬।୨: ଭାରତ ରତ୍ନ ଲତା ମଙ୍ଗେସ୍‌କରଙ୍କ ମୃତ୍ୟୁରେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। କିମ୍ବଦନ୍ତୀ ଗାୟିକାଙ୍କୁ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଲତା ସଙ୍ଗୀତ ଜଗତରେ ଦୀର୍ଘ ଦଶନ୍ଧି ଧରି ରାଜ୍‌ କରିଛନ୍ତି ଏବଂ ତାଙ୍କ ସ୍ବରର ଯାଦୁ ସବୁଦିନ ପାଇଁ ରହିବ ବୋଲି ସେ କହିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଚାଇନା ଗସ୍ତରେ ଯାଇଥିବା ପ୍ରତିନିଧିମଣ୍ଡଳରେ ଅଂଶ ଗ୍ରହଣ କରିଥିବା ଚୌଧୁରୀ ବେଜିଂରୁ ଉର୍ଦ୍ଦୁରେ ସମବେଦନା ଜଣାଇଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ଲତା ମଙ୍ଗେସ୍‌କରଙ୍କ ମୃତ୍ୟୁ ସହିତ ସଙ୍ଗୀତର ଏକ ଯୁଗ ଶେଷ ହୋଇଛି। ସେ ଦୀର୍ଘ ଦଶନ୍ଧି ଧରି ସଙ୍ଗୀତ ଜଗତରେ ରାଜ୍‌ କରିଥିଲେ ଏବଂ ତାଙ୍କ ସ୍ବରର ଯାଦୁ ସବୁଦିନ ପାଇଁ ରହିବ।
ସୂଚନାଯୋଗ୍ୟ,୯୨ ବର୍ଷୀୟା ଲତା ମଙ୍ଗେସକରଙ୍କ ରବିବାର ସକାଳ ୮.୧୨ରେ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ଖବର ଟୁଇଟର୍‌ରେ ଟ୍ରେଣ୍ଡ କରୁଛି ଏବଂ ପ୍ରାୟ ସମସ୍ତ ଟିଭି ଚ୍ୟାନେଲ ତାଙ୍କ ଦେହାନ୍ତ ଖବର ସହିତ ତାଙ୍କ ଚିର ସବୁଜ ଗୀତ ପ୍ରସାରଣ କରୁଛନ୍ତି।

 

Share