ଓ୍ବାନ୍‌ ଡବ୍ଲ୍ୟୁଟିସିରେ ଝଲସିବ ତ୍ରିରଙ୍ଗା

ଓ୍ବାଶିଂଟନ,୧୪ା୮: ଅଗଷ୍ଟ ୧୫ରେ ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବ। ଏହି ଅବସରରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଓ୍ବାନ୍‌ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି)ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଝଲସିବ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାର ଏହି ଉଚ୍ଚତମ ଟାଓ୍ବାରକୁ ଅଲ୍‌କାଏଦା ଆତଙ୍କବାଦୀ ଆକ୍ରମଣ କରିଥିଲେ। ସାଉଥ୍‌ ଏସିଆନ୍‌ ଏନ୍‌ଗେଜ୍‌ମେଣ୍ଟ ଫାଉଣ୍ଡେଶନ(ଏସ୍‌ଏଇଏଫ୍‌) ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାରତ ସ୍ବାଧୀନତା ପ୍ରାପ୍ତିର ୭୪ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଓ୍ବାନ୍‌ ଡବ୍ଲ୍ୟୁଟିସିର ୪୦୮ ଫୁଟ୍‌ ଉଚ୍ଚତା ଓ ୭୫୮ ଟନ୍‌ ଓଜନ ଶିଖର ତଥା ଏହାର ପ୍ରାଙ୍ଗଣକୁ ତ୍ରିରଙ୍ଗା ପତାକାର ଆଲୋକମାଳାରେ ସଜ୍ଜିତ କରାଯିବ। ଏହି ଦିନ ମ୍ୟାନ୍‌ହଟ୍ଟନରେ ଡର୍ଷ୍ଟ ଅର୍ଗାନାଇଜେଶନର ଓ୍ବାନ୍‌ ବ୍ରାଏଣ୍ଟ ପାର୍କ ଏବଂ ଓ୍ବାନ୍‌ ଫାଇଭ୍‌ ଓ୍ବାନ୍‌ ପ୍ରତିଷ୍ଠାନ ମଧ୍ୟ ତ୍ରିରଙ୍ଗାରେ ଝଲସିବ। ଅଗଷ୍ଟ ୧୫ରେ ସୂର୍ଯ୍ୟାସ୍ତ ପରେ ରଙ୍ଗବେରଙ୍ଗ ଆଲୋକମାଳାର ବ୍ୟବସ୍ଥା କରାଯିବ, ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଡର୍ଷ୍ଟ ଅର୍ଗାନାଇଜେଶନ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟାଜନ କରାଯିବ ବୋଲି ଏସ୍‌ଏଇଏଫ୍‌ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ନ୍ୟୁୟର୍କର ଏମ୍ପାୟାର ଷ୍ଟେଟ୍‌ ବିଲ୍ଡିଂକୁ ପ୍ରତିବର୍ଷ ସ୍ବାଧୀନତା ଦିବସରରେ ପାରମ୍ପରିକ ଭାବେ ଭାରତୀୟ ଜାତୀୟ ପତାକାର ୩ ରଙ୍ଗରେ ରଙ୍ଗାୟିତ କରାଯାଇଥାଏ।

Share