Categories: ଜାତୀୟ

ତ୍ରିଶୂଳ, ଉଦିତ ସୂର୍ଯ୍ୟ କିମ୍ବା ମଶାଲ

ନୂଆଦିଲ୍ଲୀ,୧୦ା୧୦: ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନରେ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ଶିବସେନା ନାଁ ଏବଂ ଧନୁତୀର ଚିହ୍ନ ବ୍ୟବହାର କରିପାରିବେ ନାହଁି ବୋଲି ନିର୍ବାଚନ କମିଶନ ଶନିବାର କହିବା ସହ ଉଭୟ ଗୋଷ୍ଠୀ ସେମାନଙ୍କ ଦଳ ପାଇଁ ନୂଆ ନାଁ ଓ ଚିହ୍ନ ପ୍ରସ୍ତାବ ଦେବାକୁ କହିଥିଲେ। ତ୍ରିଶୂଳ, ମଶାଲ କିମ୍ବା ଉଦିତ ସୂର୍ଯ୍ୟ ଚିହ୍ନ ନେବା ପାଇଁ ଉଦ୍ଧବ ଗୋଷ୍ଠୀ ରବିବାର ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଥିବା ଦଳୀୟ ଏମ୍‌ପି ଅରବିନ୍ଦ ସାଓ୍ବନ୍ତ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେମାନଙ୍କ ଦଳର ନାମ ଶିବସେନାକୁ ଯଦି ନିର୍ବାଚନ କମିଶନ ବଦଳାଇବାକୁ ଚାହାନ୍ତି ତେବେ ଏହାକୁ ଶିବସେନା(ବାଲାସାହେବ ଠାକ୍‌ରେ), ଶିବସେନା (ପ୍ରବୋଧଙ୍କର ଠାକ୍‌ରେ) କିମ୍ବା ଶିବସେନା (ଉଦ୍ଧବ ବାଲାସାହେବ ଠାକ୍‌ରେ) ଦିଆଗଲେ ତାହାକୁ ଦଳ ଗ୍ରହଣ କରିବ। ଶିବସେନା (ବାଲାସାହେବ ଠାକ୍‌ରେ) ସେମାନଙ୍କର ପ୍ରଥମ ପସନ୍ଦ ହୋଇଥିବାବେଳେ ଶିବସେନା (ଉଦ୍ଧବ ବାଲାସାହେବ ଠାକ୍‌ରେ) ଦ୍ୱିତୀୟ ପସନ୍ଦ ବୋଲି ଦଳ ସୂତ୍ରରୁ କୁହାଯାଇଛି। ସେହିପରି ତ୍ରିଶୂଳ ପ୍ରଥମ ଏବଂ ଉଦିତ ସୂର୍ଯ୍ୟ ଦ୍ୱିତୀୟ ପସନ୍ଦ ଥିବାବେଳେ ମଶାଲ ତୃତୀୟ ପସନ୍ଦ ବୋଲି ଉଦ୍ଧବ ଗୋଷ୍ଠୀର ଜଣେ ନେତା କହିଛନ୍ତି।
ସୂଚନାଯୋଗ୍ୟ, ଶିବସେନାକୁ ନେଇ ଉଦ୍ଧବ ଏବଂ ଏକନାଥ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ନିର୍ବାଚନ କମିଶନ ଶନିବାର ଦଳର ନାମ ଏବଂ ଧନୁତୀର ଚିହ୍ନକୁ ସାମୟିକ ଭାବେ ରଦ୍ଦ କରିଦେଇଥିଲେ।

Share