Advertisement

ତ୍ରିଲୋଚନପୁର ସରପଞ୍ଚ ଅଯୋଗ୍ୟ ଘୋଷିତ: ଜାଣନ୍ତୁ କିଏ ହେଲେ ନୂଆ ସରପଞ୍ଚ

ଲାଞ୍ଜିଗଡ଼,୧୦।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଦାଲତ ଅଯୋଗ୍ୟ ଘୋଷଣା କରିଛନ୍ତି।୨୦୨୨ରେ ସରପଞ୍ଚ ନିର୍ବାଚନରେ ତ୍ରିଲୋଚନପୁର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ କୋର୍ଟ ବିଧିବଦ୍ଧ ଭାବରେ ଅଯୋଗ୍ୟ ଘୋଷଣା କରିଛନ୍ତି। ନିର୍ବାଚନ ପରେ ସରପଞ୍ଚ ମାଝୀଙ୍କ ବିରୋଧରେ ବେଲାଙ୍ଗବୁନ୍ଦେଲ ଗାଁର ସୁନାଲି ମାଝୀ ମାନ୍ୟବର ଦଓ୍ବୋନି ବିଚାରପତି (କନିଷ୍ଠ ବିଭାଗ) ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ( ପ୍ରଥମ ଶ୍ରେଣୀ) ଭବାନୀପାଟଣାଙ୍କ ଦ୍ବାରସ୍ତ ହୋଇଥିଲେ। ସେ ଓଡ଼ିଆ ଲେଖି, ପଢି ଜାଣି ନ ଥିବା ଅଭିଯୋଗ ନେଇ ଅଦାଲତର ଦ୍ବାରସ୍ତ ହେବାପରେ ଏହାକୁ ତଦନ୍ତ କରି ବିଚାର ପୂର୍ବକ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

କଳାହାଣ୍ଡିଙ୍କ ଜିଲାପାଳଙ୍କ ଆଦେଶ ପତ୍ର ସଂଖ୍ୟା ୩୪ ତା-୯/୧/୨୦୨୫ ଅନୁଯାୟୀ ଅଦାଲତ ଏହି ରାୟ ଦେଇଛନ୍ତି । ନିର୍ବାଚନ ମିସ କେସ ନମ୍ବର ୨/୨୦୨୨କୁ ନେଇ ଗତ ୧୨/୩/୨୦୨୪ରେ ଅଭିଯୋଗର ବିଧିବଦ୍ଧ ଶୁଣାଣି କରି ଏହାର ସତ୍ୟତା ଥିବା କୋର୍ଟ ଜାଣିବାକୁ ପାଇଥିଲେ। ଓଡ଼ିଶା ପଞ୍ଚାୟତ ଆଇନ ୧୯୬୪ ଧାରା ୧୧(ଖ),୩୯(୧) ଅନୁଯାୟୀ ଦଓ୍ବୋନି ବିଚାରପତି (କନିଷ୍ଠ ବିଭାଗ) ଓ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ) ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

ଏହା ସହିତ ଅଭିଯୋଗକାରୀ ସୁନାଲି ମାଝୀଙ୍କୁ ନିକଟତମ ସଂଖ୍ୟାଧିକ ଭୋଟ ପାଇଥିବା ଦର୍ଶାଇ ତାଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିବାକୁ ନୋଟିସ ଜାରୀ କରିଛନ୍ତି । ଏନେଇ ଲାଞ୍ଜିଗଡ଼ ବଡିଓ ଶଶାଙ୍କ ପାତ୍ର ବିଜ୍ଞପ୍ତି ସଂଖ୍ୟା ୧୬୨ ତା ୧୦/୧/୨୦୨୫ରେ ଲକ୍ଷ୍ମୀ ମାଝୀଙ୍କୁ ଅବଗତ କରାଇବା ସହ ସୋନାଲି ମାଝୀଙ୍କୁ ବିଧିବଦ୍ଧ ଭାବେ ତ୍ରିଲୋଚନପୁର ସରପଞ୍ଚ ଘୋଷଣା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share