Categories: ଖେଳ

ତ୍ରିରାଷ୍ଟ୍ରୀୟ ଫୁଟବଲ୍‌: ଭାରତ ଚାମ୍ପିୟନ୍‌

ଇମ୍ଫାଲ,୨୯ା୩: ଅନ୍ତିମ ମ୍ୟାଚରେ କିର୍ଗିଜସ୍ତାନକୁ ୨-୦ରେ ପରାସ୍ତ କରିବା ସହିତ ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟବଲ ସିରିଜ୍‌ ଜିତି ନେଇଛି ଭାରତ। ପ୍ରଥମ ମ୍ୟାଚରେ ମ୍ୟାନମାରକୁ ୧-୦ଗୋଲରେ ହରାଇଥିବା ଭାରତକୁ ଚାମ୍ପିୟନ ହେବା ପାଇଁ ଏକ ଡ୍ରର ଆବଶ୍ୟକତା ଥିଲା। ଅଧିନାୟକ ସୁନୀଲ ଛେତ୍ରୀ ଓ ସନ୍ଦେଶ ଝିଙ୍ଗନଙ୍କ ଗୋଲ୍‌ ବଳରେ ଭାରତ ଏହି ମ୍ୟାଚକୁ ୨-୦ରେ ଜିତି ନେଇଥିଲା। ଏହା ସହିତ ଉଚ୍ଚ ମାନ୍ୟତାପ୍ରାପ୍ତ କିର୍ଗିଜ୍‌ସ୍ତାନ (୯୪)କୁ ୧୦୬ ନମ୍ବର ସ୍ଥାନରେ ଥିବା ଭାରତ ପରାସ୍ତ କରିବା ସହିତ ୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ପରାଜୟର ପ୍ରତିଶୋଧ ନେଇଛି। ମ୍ୟାଚର୍‌ ୩୪ ତମ ମିନିଟରେ ଝିଙ୍ଗନ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଭାରତକୁ ଫ୍ରି କିକ୍‌ ମିଳିଥିବା ବେଳେ ବ୍ରାଣ୍ଡନ ବକ୍ସ ମଧ୍ୟରେ ଥିବା ଝିଙ୍ଗନଙ୍କ ନିକଟକୁ ପାଶ କରିଥିଲେ। ଗୋଲ ପୋଷ୍ଟର ଡାହାଣ ପଟୁ ଏହାକୁ କ୍ରଶ୍‌ କରିବା ସହିତ ଭାରତକୁ ୧-୦ରେ ଆଗୁଆ କରିଥିଲେ ଝିଙ୍ଗନ। ପ୍ରଥମାର୍ଦ୍ଧରେ ଭାରତ ୧-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧର ୮୪ ତମ ମିନିଟରେ ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ ସୁନୀଲ ଛେତ୍ରୀ। ଛାଙ୍ଗଟେ ଓ ସୁରେଶଙ୍କ ପାଶ୍‌କୁ ଗୋଲରେ ପରିଣତ କରିବା ସହିତ ଅନ୍ତର୍ଜାତୀୟ ଫୁଟବଲରେ ନିଜର ୮୬ତମ ଗୋଲ୍‌ ସ୍କୋର କରିଥିଲେ।

Share