ଜୁନାଗଡ଼ରେ ଟ୍ରିପଲ୍‌ ମର୍ଡର: କାରଣ ଖୋଜୁଛି ପୋଲିସ

ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର ରାଏମତି ମାଝି (୩୫) ଓ ତାଙ୍କ ୨ବର୍ଷର ପୁଅ ଶିବଶକ୍ତି ଓ ଗ୍ରାମର ମହେନ୍ଦ୍ର କୁମାର (୬୦)। ତେବେ କେଉଁ କାରଣରୁ ଏହି ହତ୍ୟା କରାଯାଇଛି ଓ କିଏ ଏହି ହତ୍ୟାକାଣ୍ଡ ଘଟାଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅନ୍ୟପଟେ, ମୃତ ମହିଳାଙ୍କ ସ୍ବାମୀ ବ୍ରଜ ମାଝି ନିଜ କାକୀ(ଖୁଡ଼ୀ)ଙ୍କୁ ହତ୍ୟା କରିବା ଘଟଣାରେ ଗତ ୯ ବର୍ଷ ହେଲା ଭବାନୀପାଟଣା ଜିଲା କାରାଗାରରେ ସଜା କାଟୁଥିବା ଜଣାପଡିଛି। ମା’ ଓ ପୁଅଙ୍କ ମୃତଦେହ ରାସ୍ତାର ଗୋଟିଏ କଡ଼ରେ ପଡିଥିବାବେଳେ ଅନ୍ୟପଟେ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଛାନ୍‌ଭିନ ଆରମ୍ଭ କରିଛି। ଉକ୍ତ ଗ୍ରାମରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ବ୍ରଜ ଜେଲରେ ରହିଥିଲେ ମଧ୍ୟ ଗତ ୪ରୁ ୫ ବର୍ଷ ହେଲା ସେ ପାରୋଲରେ କିଛି ଦିନ ପାଇଁ ଘରକୁ ଯିବାଆସିବା କରିଥାନ୍ତି। ବ୍ରଜ ହତ୍ୟା କରିଥିବା ତାଙ୍କ କାକୀ (ଖୁଡି)ଙ୍କ ପୁଅ ନ ଥିବାବେଳେ ୨ ବିବାହିତ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଝିଅ ଜ୍ବାଇଁ ଶଙ୍କରପଲା ଗ୍ରାମରେ ରହୁଛନ୍ତି। ସେହିପରି ବୃଦ୍ଧ ଜଣକ ମୃତ ମା’ ପୁଅଙ୍କ କୌଣସି ସମ୍ପର୍କୀୟ ନୁହଁନ୍ତି। ତେବେ ମା’ ପୁଅଙ୍କୁ ହତ୍ୟା କରାଯାଉଥିବାବେଳେ ବୃଦ୍ଧ ଉକ୍ତ ରାସ୍ତା ଦେଇ ଆସୁଥିଲେ ଓ ଏହି ଘଟଣା ଦେଖିବା ପରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତା ନେଇ ହୋଇଥିବା ଅନୁମାନ କରାଯାଉଛି।

Share