ସମ୍ବଲପୁର,୨୧ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲିଥାନା ସୁନାପାଲି ଗଅନ୍ତିଆପଡାରେ ଏକ ଘରୁ ମା’ ସାଜିଆ ପରବିନ ଏବଂ ତାଙ୍କ ଦୁଇ ପୁଅଙ୍କ ହତ୍ୟା ଘଟଣାରେ ରବିବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତର ପ୍ରଦେଶ ବଲରାମପୁର ନଗର କଟୱାଲିର ମୂଳବାସିନ୍ଦା ସବିର ହୁସେନ (୨୫)। ଘଟଣାରେ ଅନ୍ୟ ଅଭିଯୁକ୍ତ ସଲମନ ଅହମ୍ମଦ ଫେରାର୍ ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ରାଜ୍ୟ ବାହାରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଛି। ପୂର୍ବରୁ ପରବିନଙ୍କ ଘରେ ସଲମନ ଭଡା ରହୁଥିବା ବେଳେ ୮ଦିନ ପୂର୍ବରୁ ସବିର ଆସି ଭଡାରେ ରହୁଥିଲେ। ଘଟଣା ଦିନ ଅର୍ଥାତ ମେ ୮ ତାରିଖ ରାତିରେ ଦୁଇ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିବା ସନ୍ଦେହ ଘେରକୁ ଆସିଛି। ଗିରଫ ଅଭିଯୁକ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ଭାବେ ପୋଲିସ ପାଖରେ କହି ନ ଥିବାବେଳେ ପରବିନ ଓ ସଲମନ ଏକାଠି ରହୁଥିଲେ। ଉଭୟଙ୍କ ଭିତରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହେଉଥିଲା ା ଘଟଣା ଦିନ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିବା ପୋଲିସ ପାଖରେ କହିଛନ୍ତି। ଅଭିଯୁକ୍ତ ସଲମନ ଗିରଫ ହେବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।