Advertisement

୧୦ ହଜାର ଶିକ୍ଷକଙ୍କୁ ପିଅନ, ମାଳି କରାଇବାକୁ ଚାହୁଁଛନ୍ତି ଏହି ରାଜ୍ୟ ସରକାର

ଅଗରତାଲା,୨୯।୭: ତ୍ରିପୁରା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିଶନରେ ୧୦ ହଜାରର ପୋଷ୍ଟ ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଶିକ୍ଷକଙ୍କୁ ପୁନଃନିଯୁକ୍ତି ମାଗିଛନ୍ତି। ଏହି ୧୦, ୦୦୦ ଶିକ୍ଷକଙ୍କୁ ନିଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରୋଚକ କଥା ହେଉଛି ଏହି ପୁନଃନିଯୁକ୍ତି ଶିକ୍ଷକ ପଦ ପାଇଁ ନୁହେଁ ବରଂ ପିଅନ, ମାଳି, ରୋଷେୟା ଏବଂ ଜୁନିୟର କିରାଣୀ ପଦ ପାଇଁ ରହିଛି। ୨୦୧୦ ଏବଂ ୨୦୧୪ରେ ତ୍ରିପୁରା ସରକାର ୧,୦୩୫ ପିଜିଟି, ୪,୬୬୬ ଟିଜିଟି ଏବଂ ୪,୬୧୬ ୟୁଜିଟି ଶିକ୍ଷକ ନିଯୁକ୍ତ କରିଥିଲେ। ୨୦୦୩ର ସଂଶୋଧିତ ନିଯୁକ୍ତି ନୀତି ଅନୁଯାୟୀ ଏହି ନିଯୁକ୍ତି ମୌଖିକ ସାକ୍ଷାତକାର ମାଧ୍ୟମରେ କରାଯାଇଥିଲା। ୨୦୧୪ ମେ ୭ ରେ, ସଂଶୋଧିତ ନିଯୁକ୍ତି ନୀତି ଅନୁଯାୟୀ ହାଇକୋର୍ଟ ସମସ୍ତ ଶିକ୍ଷକ ନିଯୁକ୍ତିକୁ ବନ୍ଦ କରିଦେଇଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୨୯ ମାର୍ଚ୍ଚ ୨୦୧୭ରେ ସୁପ୍ରିମକୋର୍ଟ ତ୍ରିପୁରା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଡିସେମ୍ବର ୩୧, ୨୦୧୭ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଏକ ନୂତନ ନୀତି ପ୍ରସ୍ତୁତ କରି ନୂତନ ନିଯୁକ୍ତି ଦିଆଯାଉ।
ତ୍ରିପୁରା ସରକାର ୨୦୧୭ରେ ଏକ ନୂତନ ନୀତି ପ୍ରଣୟନ କରିଥିଲେ। ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ଏବଂ ପରୀକ୍ଷା ପ୍ରକ୍ରିୟା ଜାରି ରହିଲା। ୧ନଭେମ୍ବର ୨୦୧୮ରେ, ସୁପ୍ରିମକୋର୍ଟ ବରଖାସ୍ତ ହୋଇଥିବା ଶିକ୍ଷକମାନଙ୍କୁ ଆଡହକ ବେସରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରଖିବାକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତ୍ରିପୁରା ସରକାର ବରଖାସ୍ତ ହୋଇଥିବା ଶିକ୍ଷକମାନଙ୍କୁ ଅନ୍ୟ ପଦବୀରେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share