ଅମରାବତୀ,୧୩।୧୧: ତ୍ରିପୁରାର ସାମ୍ପ୍ରଦାୟିକ ହିଂସାର ତାତି ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଶନିବାର ତ୍ରିପୁରା ହିଂସାକୁ ନେଇ ଅମରାବତୀ, ନାସିକ୍ ଏବଂ ନନ୍ଦେଦ୍ ଜିଲାରେ ଉତ୍ତେଜଚନା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି। ସୂଚନାନୁସାରେ, ଅମରାବତୀରେ ଏକ ସଂଗଠନ ଦ୍ୱାରା ଆୟୋଜିତ ବନ୍ଦ ସମୟରେ ଭିଡ଼ ପକ୍ଷରୁ ପଥର ଫିଙ୍ଗା ଯାଇଥିଲା। ଫଳରେ ବହୁ ଦୋକାନର କ୍ଷୟକ୍ଷତି ହୋଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସ ଲାଠି ଚାର୍ଜ କରିବାକୁ ପଡିଥିଲା।
ମୁମ୍ବାଇଠାରୁ ପ୍ରାୟ ୬୭୦ କିଲୋମିଟର ଦୂରରେ ଅବସ୍ଥିତ ପୂର୍ବ ମହାରାଷ୍ଟ୍ରର ରାଜକମଲ ଚୌକ ଅଞ୍ଚଳରେ ଶହ ଶହ ଲୋକ ସ୍ଲୋଗାନ ଦେଇ ରାସ୍ତାକୁ ବାହାରିଥିଲେ। ଭିଡ଼ ମଧ୍ୟରୁ କେତେକ ପଥର ଫିଙ୍ଗିବା ଆରମ୍ଭ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।