Categories: ଜାତୀୟ

ଯଦି କଶ୍ମୀରରୁ ଧାରା ୩୭୦ ହଟିପାରିଲା, ତେବେ ଯେକୌଣସି ଦିନ ପିଓକେରେ ତ୍ରିରଙ୍ଗା ଉଡ଼ିପାରେ; କେନ୍ଦ୍ରମନ୍ତ୍ରୀ କହିଲେ ‘ଅସମ୍ଭବ ନୁହେଁ’

ନୂଆଦିଲ୍ଲୀ,୧୭।୧୨: ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଜମ୍ମୁ-କଶ୍ମୀରର ଏକ ଅଂଶ ଦଖଲ କରିଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଭାରତ କବ୍‌ଜା କରି ପୁଣିଥରେ ଭାରତରେ ସାମିଲ ହେବ କି? ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଭିଭାଷଣ ପରେ ଏଭଳି କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ଏହି କ୍ରମରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିଶିତ ପରମାଣିକ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାର ଦେଇ ଏହା ଅସମ୍ଭବ ନୁହେଁ। ପିଓକେରେ ଯେକୌଣସି ଦିନ ତ୍ରିରଙ୍ଗା ଉଡ଼ିପାରିବ ବୋଲି ସେ ବଡ଼ ବୟାନ ଦେଇଛନ୍ତି।

ଶାହାଙ୍କ ବିବୃତ୍ତିକୁ ନେଇ ନିଶିତ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଳି କଠୋର ନିଷ୍ପତ୍ତି ନେବା ଲୋକ ରହିବେ ତେବେ କିଛି ବି ହୋଇପାରେ। ଯଦି ଧାରା ୩୭୦ କଶ୍ମୀରରୁ ଉଚ୍ଛେଦ ହୋଇପାରିବ ଏବଂ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ିପାରିବ ତେବେ ଦିନେ ଆପଣ ସକାଳୁ ଉଠି ପିଓକେରେ ଭାରତୀୟ ପତାକା ଉଡ଼ୁଥିବା ମଧ୍ୟ ଦେଖିପାରିବେ। ଏହା ଅସମ୍ଭବ କଥା ନୁହେଁ। ଦୁଇଜଣ ଶକ୍ତିଶାଳି ବ୍ୟକ୍ତି ଏବେ ଦେଶର ନେତୃତ୍ୱ ନେଉଛନ୍ତି। ସେମାନେ ଦେଶର ସମ୍ମାନ ଏବଂ ସ୍ବାର୍ଥ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିପାରିବେ। ଏପରିକି ଭାଜପା ପିଓକେକୁ ଭାରତର ଏକ ଅଂଶ ଭାବେ ମାନେ ବୋଲି ସେ କହିଛନ୍ତି।

ଏହାଛଡ଼ା ଲୋକ ସଭା ନିର୍ବାଚନ ପୂର୍ବରୁ ପିଓକେ ଭାରତରେ ସାମିଲ ହେବ କି ପ୍ରଶ୍ନର ଜବାବରେ ଭାଜପା ନେତା କହିଛନ୍ତି, ତାହା ମୁଁ କହିପାରିବି ନାହିଁ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କାମ କରିବା ପୂର୍ବରୁ କିଛି କୁହନ୍ତି ନାହିଁ। ଧାରା ୩୭୦ ହଟାଯିବାର ୨ ଦିନ ପୂର୍ବରୁ ଏ ବିଷୟରେ କୌଣସି ସୂଚନା ନ ଥିଲା। ପିଓକେ ଏବେ ପାକିସ୍ତାନର ଅଂଶ ଥିଲେ ହେଁ ଏହା ଭାରତର ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନିକଟରେ ଶାହା ପାର୍ଲାମେଣ୍ଟରେ ଜମ୍ମୁ କଶ୍ମୀରର ଆସନକୁ ନେଇ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ପିଓକେ ଲାଗି ବିଧାନସଭାର ୨୪ ଆସନ ସଂରକ୍ଷିତ ରହିଛି। ତେବେ ଏହି ବିବୃତ୍ତିକୁ ନେଇ ମୋଦି ସରକାର ପିଓକେକୁ ଶୀଘ୍ର ଅଧିଗ୍ରହଣ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।

Share