Categories: ଜାତୀୟ

ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଲେ ଅଭିନେତ୍ରୀ

କୋଲକାତା,୨।୭: ଶ୍ୟାମଳ ବର୍ଣ୍ଣ କାରଣରୁ ସୋସିଆଲ ମିଡିଆରେ ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଛନ୍ତି ବଙ୍ଗାଳି ଅଭିନେତ୍ରୀ। ଟିଭି ସିରିଏଲ ‘ତ୍ରିନୟନି’ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ଶ୍ରୁତି ଦାସ ଗତ ଦୁଇ ବର୍ଷ ହେଲା ଟ୍ରୋଲିଂର ସମ୍ମୁଖୀନ ହୋଇ ଆସୁଥିଲେ। ଏହାକୁ ଆଉ ସହ୍ୟ ନ କରିପାରି କୋଲକାତାର ସାଇବର ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି।

ମୋ ରଙ୍ଗ କାରଣରୁ ମୋତେ ଟ୍ରୋଲ କରାଯାଉଥିଲା। ଏହାକୁ ପ୍ରଥମେ ମୁଁ ଅଣଦେଖା କରୁଥିଲି। କିନ୍ତୁ ସମୟ ସହିତ ଏହା ବଢ଼ିବାରେ ଲାଗିଥିଲା। ମୋ ପ୍ରତି ଘୃଣ୍ୟ ମନ୍ତବ୍ୟ ଦିଆଯିବା ସହ ମୋ ଚରିତ୍ର ଓ ଟ୍ୟାଲେଣ୍ଟ ଉପରେ ପ୍ରଶ୍ନ ଉଠାଯାଉଛି। ଯଦି ଏହାକୁ ଏବେ ରୋକା ନ ଯାଏ, ତେବେ ଆଗକୁ ଏହା ଆହୁରି ବଢ଼ିବ ବୋଲି ୨୫ ବର୍ଷୀୟା ଅଭିନେତ୍ରୀ କହିଛନ୍ତି।

ଫେସବୁକରେ ତାଙ୍କ ଉପରେ ହେଉଥିବା ଖରାପ କମେଣ୍ଟରେ କୋଲକାତା ପୋଲିସକୁ ଟ୍ୟାଗ କରିଥିଲେ ଅଭିନେତ୍ରୀ। ଅନଲାଇନରେ ହୋଇଥିବା ଗାଳିଗୁଲଜ ସମ୍ପର୍କରେ ଶ୍ରୁତି ଦାସ କୋଲକାତା ପୋଲିସର ସାଇବର ସେଲକୁ ମେଲ କରିଛନ୍ତି। ଅଭିଯୋଗରେ ଶ୍ରୁତି ଦର୍ଶାଇଛନ୍ତି, ୨୦୧୯ ଠାରୁ ଶ୍ୟାମଳ ବର୍ଣ୍ଣ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି। ଅଭିଯୋଗ ସହ ଗାଳିଗୁଲଜର ସ୍କ୍ରିନ ଶଟ୍‌ ମଧ୍ୟ ପଠାଇଛନ୍ତି ସାଇବର ସେଲକୁ ପଠାଇଥିବା ଜଣେ ଅଧିକାରୀ କହିଛନ୍ତି।

Share