ବାରିପଦା ଅଫିସ,୬।୯: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ବାଇଗଣବାଡ଼ିଆ ପଞ୍ଚାୟତର ଭୁଲଗଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଓରେଡା ପକ୍ଷରୁ ଏହି ଗଁାରେ ନିର୍ମାଣ କରାଯାଇଥିବା ସୋଲାର ପାନୀୟ ଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ପକ୍ଷରୁ ଏକ କମ୍ପାନୀ ମାଧ୍ୟମରେ ସୋଲାର ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲା। ସୌର ଚାଳିତ ପାନୀୟ ଜଳ ଯୋଗାଣ ପାଇଁ ୫ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ବସାଯାଇଥିଲା। କାର୍ଯ୍ୟ ସମାପ୍ତିର ୭ମାସ ପରେ ପାଣିଟାଙ୍କିଟି ଫାଟିଯିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। କମ୍ପାନୀ ପକ୍ଷରୁ ଉଦ୍ଦିଷ୍ଟ ଥିବା ମୋବାଇଲ ନମ୍ବରଟି ସୁଇଚ ଅଫ୍ ଥିବାରୁ ମରାମତି ହୋଇପାରୁ ନାହିଁ। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ପରିତ୍ୟକ୍ତ କୂଅର ପାଣି ବ୍ୟବହାର କରୁଥିବା ସ୍ବର୍ଣ୍ଣକାନ୍ତି ରାମ, ମାୟା ହେମ୍ବ୍ରମ, ଫୁଲମଣି ହେମ୍ବ୍ରମ, ରୁପାଇ ହେମ୍ବ୍ରମ ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମର ସବିତା ନାଏକ, ଶାନ୍ତିମଣି ହେମ୍ବ୍ରମ, ଦମୟନ୍ତୀ ଜିତ୍, ଲକ୍ଷ୍ମୀ ହେମ୍ବ୍ରମ ପ୍ରମୁଖ ସରପଞ୍ଚ ବନିତା ସୋରେନଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି ା
ତେବେ ଆଗାମୀ ଦିନରେ ଏହାର ସୁବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା