ସମସ୍ୟାରେ ପକାଇଲା ସମୟ

ଅନୁଗୋଳ ଅଫିସ, ୧୯।୧୦: ମହା ଆଡ଼ମ୍ବରରେ ମା’ ଲକ୍ଷ୍ମୀଙ୍କ ପୂଜା ହେବ। ରାତି ୧୧ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପୂଜା ପୂର୍ବରୁ ଅନୁଗୋଳ କେନ୍ଦ୍ରୀୟ ଲକ୍ଷ୍ମୀ ପୂଜା କମିଟି ସହ ପ୍ରଶାସନର ବୈଠକରେ ଏପରି ଆଲୋଚନା ହୋଇଥିଲା। ତଦନୁଯାୟୀ ପୂଜା କମିଟିଗୁଡ଼ିକ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ଆଗରୁ ପୋଲିସ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଭିନ୍ନ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା। ପୋଲିସର ଏପରି କାର୍ଯ୍ୟକୁ ଦର୍ଶକମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। ସମୟକୁ ନେଇ ସମସ୍ୟା ସୃଷ୍ଟି କରାଯିବାକୁ ସେମାନେ ନାପସନ୍ଦ କରିଛନ୍ତି। ତେବେ ଅନେକଆଡ଼ୁ ସମାଲୋଚନାର ଶରବ୍ୟ ହେବା ପରେ ପ୍ରଶାସନ କଟକଣାକୁ କୋହଳ କରିଥିଲେ ବି ଏହାକୁ ନେଇ ସହରବାସୀ ସନ୍ତୁଷ୍ଟ ହୋଇପାରିନାହାନ୍ତି।
ପ୍ରକାଶ ଯେ, ଚଳିତବର୍ଷ ଅନୁଗୋଳ ସହରରେ ମୋଟ୍‌ ୨୯ଟି ସ୍ଥାନରେ ମା’ ଲକ୍ଷ୍ମୀଙ୍କ ପୂଜା ପାଳନ ହେଉଛି। କରୋନା ପାଇଁ ଗତ ୨ ବର୍ଷର ପୂଜା ଫିକା ପଡ଼ିଥିବାରୁ ଚଳିତବର୍ଷ ଏହାକୁ ନେଇ ଉତ୍ସାହିତ ପୂଜା କମିଟି କର୍ମକର୍ତ୍ତାମାନେ ବହୁ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ମେଢ଼, ତୋରଣ ସାଜସଜ୍ଜା ଓ ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଧିକ ଖର୍ଚ୍ଚ କରିଛନ୍ତି। ଓଲିଉଡ୍‌ର ଦାମୀ ଗାୟକ, କଳାକାରଙ୍କୁ ଡକାଇ ସହରରେ ଚିତ୍ତାକର୍ଷକ ମେଲୋଡି ନାଇଟ୍‌ ଆୟୋଜନ କରୁଛନ୍ତି। ପାଣିପାଗ ଅନୁକୂଳ ଥିବାରୁ ଦୈନିକ ସହରରେ ବହୁ ସହସ୍ର ଲୋକଙ୍କ ଭିଡ଼ ହେଉଛି। ବିଶେଷକରି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ହେଲେ କାର୍ଯ୍ୟକ୍ରମ ଜମି ଆସୁଥିବା ବେଳେ ପୋଲିସ ପହଞ୍ଚି ରାତି ୧୦ଟାରୁ ତାହାକୁ ଜବରଦସ୍ତ ବନ୍ଦ କରାଇବା ଅସନ୍ତୋଷର କାରଣ ହୋଇଛି। ରାତି ୧୧ଟା ଯାଏ ସଙ୍ଗୀତ, କଳା ପରିବେଷଣ ପାଇଁ ଗାୟକ ଓ କଳାକାରଙ୍କ ସହ ଚୁକ୍ତି ହୋଇଥିବା ବେଳେ ପୋଲିସ ଏଥିରେ ବାଧକ ସାଜିବା ଦର୍ଶକଙ୍କୁ ମାନସିକ ଭାବେ ଆଘାତ ଦେଇଥିବା ଆଲୋଚନା ହେଉଛି।

 

ଆଜି ଭସାଣି ଶୋଭାଯାତ୍ରା
ଅନୁଗୋଳ ଲକ୍ଷ୍ମୀ ପୂଜାର ଭସାଣି ପର୍ବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନ ୩ଟାରୁ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ସହର ପରିକ୍ରମା ଆରମ୍ଭ କରିବେ। କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଲଟେରି କରାଯିବା ପରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ୧୧ ମେଢ଼ ନମ୍ବର ଅନୁଯାୟୀ ଆଗକୁ ବଢ଼ିବେ। ବିଭିନ୍ନ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରାକୁ ଅଧିକ ଚିତ୍ତାକର୍ଷକ କରିବାକୁ ବିଭିନ୍ନ ବାଦ୍ୟ ଓ ନୃତ୍ୟ ଦଳକୁ ସାମିଲ କରାଯାଇଛି। ମେଢ଼ଗୁଡ଼ିକ ଥାନା ଛକରୁ ରାଜା ଛକ ଦେଇ ବଜାର ଛକରେ ପହଞ୍ଚିବା ପରେ ସେଠାରୁ ଜଳାଶୟ ଅଭିମୁଖେ ଯିବେ। ଏହି ଭସାଣି ଶୋଭାଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 

ଘଣ୍ଟାଏ ପୂର୍ବରୁ କଟକଣା ଦୁର୍ଭାଗ୍ୟଜନକ
୨ ବର୍ଷ ପରେ ଧୁମ୍‌ଧାମରେ ଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଥିଲା। ସେଥିପାଇଁ ଚଳିତବର୍ଷ ପୂଜାରେ ପ୍ରବଳ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ହେଲେ ପ୍ରଶାସନ ପକ୍ଷରୁ ଆଲୋଚନା ଅନୁଯାୟୀ ସହଯୋଗ ମିଳିଲା ନାହିଁ। ଘଣ୍ଟାଏ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯିବା ଦୁର୍ଭାଗ୍ୟଜନକ।
-ଶଙ୍କର ସେଠୀ, ସଭାପତି, ଅମଲାପଡ଼ା ମା’ ଲକ୍ଷ୍ମୀପୂଜା କମିଟି
ଆଲୋଚନାର ବିପରୀତ କାର୍ଯ୍ୟ କରାଗଲା
ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି। ଏହି କାରଣରୁ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ସେପରି ମନ ମୋହିପାରୁ ନାହିଁ। ସେଣ୍ଟ୍ରାଲ ପୂଜା କମିଟି ବୈଠକରେ ଯାହା ଆଲୋଚନା ହୋଇଥିଲା, ତାହାର ବିପରୀତ କାର୍ଯ୍ୟ କରାଗଲା। ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଲା।
-ଦିଲୀପ ପ୍ରଧାନ, ସଭାପତି, ହୁଲୁରିସିଂହା ଲକ୍ଷ୍ମୀ ପୂଜା କମିଟି
ଭଲ ଜନସମାଗମ ହେଲା
୨ ବର୍ଷ ପରେ ବଡ଼ ଆଡ଼ମ୍ବରରେ ପୂଜା ହେଉଥିବାରୁ ସମସ୍ତଙ୍କ ଭିତରେ ଭରପୂର ଉତ୍ସାହ ଥିଲା। ସେଥିପାଇଁ ସହରରେ ଜନ ସମାଗମ ଭଲ ହୋଇଥିଲା। ସମସ୍ତେ ପୂଜାକୁ ଉପଭୋଗ କଲେ। ପୂଜା ଆଗାମୀ ଦିନରେ କିପରି ଆହୁରି ଭଲ ହେବ ସେ ନେଇ ଦୃଷ୍ଟି ଦିଆଯିବ।
-ପ୍ରତାପ ମାଝି, ଉପଦେଷ୍ଟା, ସଞ୍ଜୀବନୀ ମାର୍କେଟ ପୂଜା କମିଟି
ବିଳମ୍ବରେ ସମସ୍ୟାର ସମାଧାନ ହେଲା
ଚଳିତବର୍ଷ ପୂଜାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଥିଲା। କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ନିର୍ଦ୍ଧାରଣକୁ ନେଇ ସମସ୍ୟା ଦେଖାଦେଇଥିଲା। ବିଳମ୍ବରେ ଏହାର ସମାଧାନ ହୋଇଛି।
-ଅକ୍ଷୟ କୁମାର ଦାସ, କୋଷାଧ୍ୟକ୍ଷ, ସେଣ୍ଟ୍ରାଲ ପୂଜା କମିଟି