ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୫ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଖାରୁମୁଣ୍ଡା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକର ଜୀବନ ଯାଇଛି। ମୃତକ ଜଣକ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମର ସନ୍ତୋଷ ପାତ୍ର ବୋଲି ଜଣାପଡ଼ିଛି। ସେ ଝାରସୁଗୁଡ଼ାରୁ ଚକାଡୋଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଖାରୁମୁଣ୍ଡା ପେଟ୍ରୋଲ ଟାଙ୍କି ନିକଟରେ ବସ୍‌ ଅଟକିଥିବା ବେଳେ ବସ୍‌ରୁ ଓହ୍ଲାଇ ବାହାରକୁ ଯାଇଥିଲେ।
ବସ୍‌ ନିକଟକୁ ଫେରୁଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ ମୃତଦେହ ଜବତ କରିଛି। ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।