ଷଣ୍ଢ ବୋଝେଇ ଟ୍ରକ୍‌ ଜବତ

ରୂପସା, ୯।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ. ଜାତୀୟ ରାଜପଥ ଏବେ ଗୋଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜପଥରେ ପୁଣି ଗୋଚାଲାଣକାରୀ ଓ ଦଲାଲମାନେ ସକ୍ରିୟ ହୋଇପଡ଼ିଛନ୍ତି। ବସ୍ତା ଥାନା ଅଧୀନ ଏହି ଜାତୀୟ ରାଜପଥର ବରୁଣଗଡ଼ିଆ ଛକ ନିକଟରେ ସୋମବାର ଏକ ମିନିଟ୍ରକ୍‌ରେ ଭଦ୍ରକରୁ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିଲା। ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟମାନେ ଉକ୍ତ ଟ୍ରକକୁ କାବୁ କରି ସେଥିରୁ ୨୯ ଷଣ୍ଢ ଉଦ୍ଧାର କରିଥିବାରେ ସମର୍ଥ ହୋଇଥିଲେ। ହେଲେ ଟ୍ରକ୍‌ର ଚାଳକ ଓ ହେଲ୍ପର ଟ୍ରକ ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଟ୍ରକ୍‌ ନଂ. (ଡ଼ବ୍ଲ୍ୟୁବି୩୩ଏ-୯୭୨୯)ରେ ଗୋଚାଲାଣ ହେଉଥିବା ଜାଣିବାକୁ ପାଇ ବଜରଙ୍ଗ ଦଳର ସଦସ୍ୟମାନେ ମଥାନୀ ଛକଠାରୁ ଟ୍ରକ୍‌କୁ ପିଛା କରି ବରୁଣଗଡ଼ିଆ ଡାଇଭର୍ଶନଠାରେ କାବୁ କରିଥିଲେ। ଚାଳକ ଓ ହେଲ୍ପର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଖବରପାଇ ଭାଜପା ଯୁବ ସଭାପତି ଧୀରେନ କୁମାର ସେଠୀ ପହଞ୍ଚତ୍ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟ୍ରକ୍‌କୁ ବସ୍ତା ଥାନାକୁ ଆଣି ଏକ ମାମଲା(ନଂ. ୨୮୬/୨୩) ରୁଜୁ କରି ଟ୍ରକ୍‌ରେ ଥିବା ୨୯ଟି ଷଣ୍ଢକୁ ବାଲେଶ୍ୱର ବାମପଦାସ୍ଥିତ ଗୋଶାଳାରେ ଛାଡ଼ିଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।