ଗଞ୍ଜାମ, ୩୦।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସାଇ ଢାବା ନିକଟରୁ ରବିବାର ପୋଲିସ ଲକ୍ଷାଧିକ ଟଙ୍କାର ଗୁଟ୍ଖା ବୋଝେଇ ଏକ ଟ୍ରକ୍(ନଂ.ଏଚ୍ଆର-ଏକେ-୯୭୮୭) ଜବତ କରିଛି। ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊଦ୍ଧର୍ବ ପରିମାଣର ଗୁଟ୍ଖା ଥିବା ପୋଲିସ କହିଛି।
ମିଳିଥିବା ସୂଚନା ମୁତାବକ, ଗୁଟ୍ଖା ବୋଝେଇ ଟ୍ରକ୍ଟି ଦିଲ୍ଲୀରୁ ବ୍ରହ୍ମପୁର ଆସୁଥିବା ବେଳେ ବ୍ରହ୍ମପୁରରେ ପୋଲିସ ଚେକିଂ ଚାଲିଥିବା ଖବର ପାଇ ଡ୍ରାଇଭର ଟ୍ରକ୍କୁ ପଛକୁ ଫେରାଇ ଆଣି ରମ୍ଭାସ୍ଥିତ ସାଇ ଢାବା ନିକଟ ରାସ୍ତାକଡ଼ରେ ରଖିଥିଲେ। ହେଲେ କୌଣସି ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅଧିକାରୀ ପି. ସ୍ବରୂପ କିଷାନଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଚଢ଼ାଉ କରି ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ହେଲେ ବ୍ରହ୍ମପୁରର କେଉଁ ଅଞ୍ଚଳକୁ ଏତେ ପରିମାଣର ଗୁଟ୍ଖା ଯାଉଥିଲା ଏବଂ କିଏ ଏହାର ମାଲିକ ସେନେଇ ପୋଲିସ ଛାନ୍ଭିନ୍ ଜାରି ରଖିଛି।