ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି ଲୁଟ୍‌: ୨ ଭାଇ ଗିରଫ

ବଡ଼ବିଲ,୧୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାଠାରେ ଦୁଇଜଣ ଟ୍ରକ ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଦିରଫ ଦୁଇ ଅଭିଯୁକ୍ତ ଭାଇ ହେଲେ ବଡ଼ବିଲ ବରକତ ନଗର ୮ ନମ୍ବର ଓ୍ବାର୍ଡ ଅଞ୍ଚଳରେ ରହୁଥିବା ଏମ୍‌ଡି ଲାଡେନ ଏବଂ ଏମ୍‌ଡି ତୌଫିକ।
ସୂଚନାନୁଯାୟୀ, ନାଲଦା ଅଞ୍ଚଳରେ ରହୁଥିବା ଲଳିତ ରାଓ ନାମକ ବ୍ୟକ୍ତିଙ୍କ ଓଆର ୦୯ ପି ୭୨୫୧ ଏବଂ ଓ ନମ୍ବର ବିଶିଷ୍ଟ ଟ୍ରକ ଦ୍ୱୟର ଚାଳକ ହେଲେ ଆସିଫ ଖାନ୍‌ ଓ ଛୋଟେଲାଲ ମୁଖାର୍ଜୀ। ଗତ ୯ ତାରିଖ ଗୁରୁବାର ରାତିରେ ଚାଳକ ଆସିଫଙ୍କଠାରୁ ମୋବାଇଲ ତୌଫିକ ଉଧାର ସୂତ୍ରରେ ନେଇଥିଲେ। ଶୁକ୍ରବାର ତୌଫିକଙ୍କୁ ଆସିଫ୍‌ ମୋବାଇଲ ମାଗିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଭାଇ ଲାଡେନଙ୍କ ସହ ମିଶି ଚାଳକ ଆସିଫ ଓ ଛୋଟେଲାଲଙ୍କୁ ଆକ୍ରମଣ କରି ମୋଟ୍‌ ୨ହଜାର ୫ଶହ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଟ୍ରକ ମାଲିକ ଲଳିତ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ବଡ଼ବିଲ ଥାନା କେସ୍‌ ନଂ ୩୮/୨୦୨୩ରେ ମାମଲା ରୁଜୁ କରି ଶନିବାର ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ପୋଲିସ ୧ହଜାର ୫ଶହ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

Share