ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ଯୋଡ଼ା,୧୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥ ତଥା ବାମେବାରି ଥାନା ଅନ୍ତର୍ଗତ ସିରାଜୁଦ୍ଦିନ ଖଣି ନିକଟ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଗୁରୁତର ଟ୍ରକ୍‌ ଡ୍ରାଇଭର ଗୋପାଲ କୁମାର ଯାଦବ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଅନୁଯାୟୀ, ରାତି ପ୍ରାୟ ୧୨ .୩୦ ମିନିଟ୍‌ ସମୟରେ କାଳିୀମାଟି-ବାମେବାରି ରାସ୍ତାର ବଳଦାସ୍ଥିତ ସିରାଜୁଦ୍ଦିନ ଖଣି ନିକଟରେ ଡ୍ରାଇଭର ଖଣିଜ ବୋଝେଇ ଟ୍ରକ୍‌କୁ ରାସ୍ତାକଡ଼ରେ ରଖିଥିଲେ। ସେ ସମୟରେ ୬ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ସେଠାକୁ ଆସି ଟ୍ରକ୍‌ରରୁ ଡ୍ରାଇଭରଙ୍କୁ ଜଙ୍ଗଲକୁ ନେଇ ଲୁହା ରଡ୍‌ରେ ମାଡ଼ ମାରିବା ସହିତ ଛୁରି, ଭୁଜାଲିରେ ଗୋଡ଼ ହାତକୁ ହାଣିଥିଲେ। ତାଙ୍କ ପାଖରେ ଥିବା ୧୦ ହଜାରରୁ ଊଦ୍ଧର୍‌ବ ଟଙ୍କା ଓ ମୋବାଇଲ ନେଇ କାଳିମାଟି ଅଞ୍ଚଳ ଅଭିମୁଖେ ଚାଲିଯାଇଥିବା ଡ୍ରାଇଭର କହିଛନ୍ତି। ସେ ସେଠାରୁ ଜୀବନ ବିକଳରେ ଟ୍ରକ୍‌ ପାଖକୁ ଆସିବା ବେଳେ କିଛି ଡ୍ରାଇଭର ପହଞ୍ଚତ୍ ତାଙ୍କୁ ଯୋଡ଼ାସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କର ମୁଣ୍ଡ, ଦୁଇ ହାତ, ଗୋଡ଼ ଓ ପିଠିରେ ଗଭୀର କ୍ଷତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଏ ନେଇ ବାମେବାରି ଥାନାରେ ଟ୍ରକ ମାଲିକ ସମୂହ ଏକତ୍ରିତ ହୋଇ କୋଷାଧ୍ୟକ୍ଷ ରାଜେଶ ରୋଷନଙ୍କ ସହିତ ଅଭିଯୋଗ କରିଥିଲେ। ଯୋଡ଼ା ଥାନା ଆଇଆଇସି ଜୟ ନାରାୟଣ ଖଣ୍ଡେଇ ଡକାୟତି ହେଉଥିବା ସ୍ଥାନରେ ପୋଲିସ ନିୟୋଜିତ କରିବାକୁ ଆଶ୍ୱାସନା ଦେବା ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସହଯୋଗ ଲୋଡିଥିଲେ। ୧୧୨ନଂ. କୁ ଫୋନ କରିବାକୁ ଡ୍ରାଇଭରଙ୍କୁ ସୂଚନା ଦିଅନ୍ତୁ ବୋଲି କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଖଣି ରାସ୍ତାରେ ବିଶେଷକରି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ଟାର୍ଗେଟ କରି ଲୁଟ୍‌ କରୁଛନ୍ତି। କିଛି ଦିନ ପୂର୍ବେ ଖଣ୍ଡବନ୍ଧ ପାର୍କିଂ ଅଞ୍ଚଳରେ ଡ୍ରାଇଭରଙ୍କୁ ମାଡ଼ ମାରି ଲୁଟ୍‌ ଘଟିଥିଲା। ଘଟଣା ସମ୍ପର୍କରେ ଧରିତ୍ରୀରେ ଗତ ୭ ଅଗଷ୍ଟ ୨୦୨୩ ରେ ଶୀର୍ଷକ ‘ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟୁଛନ୍ତି’, ପ୍ରକାଶ ପାଇଥିଲା।

Share