ଟ୍ରକକୁ ପଛରେ ପିଟିଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

କେନ୍ଦୁଝର,୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଧୀନ କେନ୍ଦୁଆ ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ସଦର ଥାନା ପୋଲିସ ପହଞ୍ଚି ଟ୍ରକ ଦ୍ବୟକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, କେନ୍ଦୁଝରରୁ କୋଲକାତା ଯାଉଥିବା ଏକ ଟ୍ରକ (ସିଜି୦୪ଏମ୍‌ଏସ୍‌-୭୬୪୪) ବ୍ରେକ୍‌ଡାଉନ୍‌ ହୋଇ କେନ୍ଦୁଆ ଗ୍ରାମ ନିକଟ ରାଜପଥରେ ଛିଡା ହୋଇ ରହିଥିଲା। ହେଲେ ଦାୟିତ୍ୱରେ ଥିବା ଏନଏଚ୍‌ଏଆଇ ପକ୍ଷରୁ ଟ୍ରକକୁ ସାଇଡ୍‌ କରାଯାଇ ନ ଥିବା ବେଳେ କୌଣସି ସତର୍କତା ଅବଳମ୍ବନ କରାଯାଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ କୋଲକାତା ଅଭିମୁଖେ ଯାଉଥିବା ଲୁହା ବିମ୍‌ ବୋଝେଇ ଟ୍ରକ୍‌ (ନଂ.ଏନ୍‌ଏଲ୦୧ଏଇ-୧୩୬୭) ଭାରସାମ୍ୟ ହରାଇ ପୂର୍ବରୁ ଛିଡା ହୋଇ ରହିଥିବା ଟ୍ରକ ପଛରେ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ଭିତରେ ଚାପି ହୋଇଯାଇଥିଲେ। ସେତିକିବେଳେ ହଠାତ ଟ୍ରକରେ ନିଆଁ ଲାଗି ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି।

ବାରମ୍ବାର ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ଘଟି ଜୀବନ ହାନୀ ଘଟୁଥିଲେ ହେଁ ଏହାର ପ୍ରତିକାର କରାଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଘଟଣାକୁ ନେଇ ଏନ୍‌ଏଚ୍‌ଏଆଇ ଏବଂ ପୋଲିସ ବିଭାଗଙ୍କୁ ଗ୍ରାମବାସୀ ଦାୟୀ କରିଛନ୍ତି।

Share