ମଣ୍ଡପକୁ ମାଡ଼ିଗଲା ଟ୍ରକ୍‌: ଚା’ ଦୋକାନୀ ମୃତ

ଧରାକୋଟ,୧୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡା ଛକରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଜଣେ ଚା’ ଦୋକାନୀଙ୍କୁ ଧକ୍କା ଦେଇ ନିକଟସ୍ଥ ମଣ୍ଡପକୁ ମାଡ଼ିଯାଇଛି। ଏଥିରେ ଚା’ ଦୋକାନୀ ବାହାଡାଗୁଡା ଗ୍ରାମର ମହେନ୍ଦ୍ର ବିଷୋୟୀ(୪୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ମଣ୍ଡପରେ ବସିଥିବା କାମେଶ୍ବର ସେଠୀ, ବୃନ୍ଦାବନ ସ୍ବାଇଁ, ଲକ୍ଷ୍ମଣ ଗୌଡ, କାଳୁ ପ୍ରଧାନ ଓରିଛ ଗୌଡ ଆହତ ହୋଇଛନ୍ତି। କାମେଶ୍ବରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବନ୍ତ୍ର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟମାନେ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଟ୍ରକ୍‌ ଡ୍ରାଇଭର ପଶ୍ଚିମବଙ୍ଗର ବିଶ୍ବଜିତ ଦାସଙ୍କୁ ପୋଲିସ ଗିରଫ କରିଛି।

ବାହାଡାଗୁଡା ଛକରେ ଥିବା ମହେନ୍ଦ୍ରଙ୍କ ଦୋକାନରୁ ଚା’ ପିଇବା ପାଇଁ ସକାଳେ କେତେଜଣ ଲୋକ ଦୋକାନକୁ ଲାଗିଥିବା ମଣ୍ଡପରେ ବସିଥିଲେ। ଏହି ସମୟରେ ଆସିକା ପଟୁ ଆସୁଥିବା ଟ୍ରକ (ନଂ.ଡବ୍ଲ୍ୟୁବି ୧୫ଇ୧୦୬୫) ଦେକାନରେ ଚା’ କରୁଥିବା ମହେନ୍ଦ୍ରଙ୍କୁ ଧକ୍କା ଦେଇ ମଣ୍ଡପକୁ ଚଢି ଯାଇଥିଲା। ଘଟଣାସ୍ଥଳରେ ମହେନ୍ଦ୍ରଙ୍କ ମତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପହଞ୍ଚି ଟ୍ରକକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିଲେ। ଏ ନେଇ ନଂ୨୦୮/୨୪ରେ ମାମଲା ରୁଜୁ ହୋଇଛି।