ଘନ କୁହୁଡ଼ି ହେଲା କାଳ, ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ, ୫୦ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍‌ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌କୁ କଟକରୁ କେନ୍ଦ୍ରାପଡା ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଟ୍ରକ ଚାଳକ ସମେତ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ବସ୍‌ ଚାଳକ ଓ ତାଙ୍କ ପାଖରେ ବସିଥିବା ଏକ କୁନି ଝିଅଙ୍କୁ ଦୀର୍ଘ ସମୟ ପରେ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଦମକଳବାହିନୀ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣା ପରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତା ବନ୍ଦ ରହିଥିଲା। ନିଶ୍ଚିନ୍ତକୋଇଲି ପୋଲିସ ୨ ପ୍ଲାଟୁନ ଫୋର୍ସ ଓ ଓଡ୍ରାକ୍‌ ଟିକ୍‌ ବସ୍‌ ଏବଂ ଟ୍ରକ୍‌କୁ କାଟି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଟକ ଜିଲାପାଳ ନରହରି ସେଠୀ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ।

Share