ଦାରିଙ୍ଗବାଡ଼ି,୬ା୧୦(ଡି.ଏନ୍.ଏ.): କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ଏବେ ବିପଦ ସାଜିଛି। କେବେ ଦୁର୍ଘଟଣା ଆଉ କେବେ ଭୁସ୍ଖଳନ ପାଇଁ ଚର୍ଚ୍ଚାରେ ରହିଛି ଏହି ଘାଟି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଫଳ ଏବଂ ପନିପରିବା ବୋଝେଇ ମିନି ଟ୍ରକ୍ ଓଲଟିଲାଣି। ଫଳରେ ଉକ୍ତ ଘାଟିରେ ଯାତାୟାତ ଦିନକୁ ଦିନ ବିପଦ ପୂର୍ଣ୍ଣ ହେଉଛି।
ସୂଚନାଯୋଗ୍ୟ, ଦଶହରା ପୂଜା ସାରି ଏକ ମିନି ଟ୍ରକ୍ ପନିପରିବା ନେଇ ଘାଟିରାସ୍ତା ଦେଇ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ବୁଲାଣିରେ ଓଲଟି ପଡ଼ିଥିଲା । ଏଥିରେ କେହି ଗୁରୁତର ହୋଇ ନ ଥିବା ବେଳେ ଗୁରୁବାର ସକାଳୁ ପନିପରିବା ସଂଗ୍ରହ କରାଯାଇଛି।