ଟ୍ରକ୍‌ ମାଲିକଙ୍କ ଅନଶନ ଜାରି, ଦାୟିତ୍ୱ ହସ୍ତାନ୍ତର ନ କଲେ ସଂଘ କାର୍ଯ୍ୟାଳୟ ଘେରାଉ ଚେତାବନୀ

କେନ୍ଦୁଝର,୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘର ଅବଧି ଶେଷ ହୋଇଯାଇଥିଲେ ହେଁ ନିର୍ବାଚନ ହେଉ ନ ଥିବାରୁ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ପ୍ରଶାସନ ତଥା ପରାମର୍ଶ ବୋର୍ଡଙ୍କ ଆଦେଶକୁ ମାନି ଦାୟିତ୍ୱ ହସ୍ତାନ୍ତର କରି ନିର୍ବାଚନ କରିବା ପାଇଁ ସହ ଯୋଗ କରୁ ନ ଥିବାରୁ ଅଭିଯୋଗ କରି ଗତ ୩୧ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକ୍‌ ମାଲିକମାନେ ଅନିର୍ଦ୍ଦିଷ୍ଟ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଫେରାଇ ଆଣି ନିର୍ବାଚନ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଥିଲେ ହେଁ ସଂଘ କାର୍ଯ୍ୟକାରିଣୀ କମିଟି ପଦକ୍ଷେପ ନେଉ ନ ଥିବାରୁ ପୁଞ୍ଜୀଭୂତ ଅସନ୍ତୋଷ ଧୀରେ ଧୀରେ ଆନ୍ଦୋଳନର ରୂପ ନେବାକୁ ବସିଛି। ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ନ କଲେ ବାଧ୍ୟ ହୋଇ ଟ୍ରକ ମାଲିକମାନେ ସଂଘ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଦାୟିତ୍ୱ ହାତକୁ ନେଇ ଆସନ୍ତା ୨୫ରେ ନିର୍ବାଚନ କରି ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇବାକୁ ଜିଲା ପ୍ରଶାସନ ଚିଠି କରି ପରାମର୍ଶ ବୋର୍ଡଙ୍କୁ ଜଣାଇଛନ୍ତି।