ମାଲ ପରିବହନକୁ ନେଇ ତେଜିଲା ଆନ୍ଦୋଳନ

ଛତ୍ରପୁର,୧୦।୧୧(ଦିଲ୍ଲୀପ ସାମଲ): ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରୁ ଫେରୋକୋମ୍‌ ଏବଂ କ୍ରୋମାଇଟ ଖଣିଜର ମାଲ୍‌ ପରିବହନ ଟ୍ରକ ଦ୍ୱାରା ଯାଜପୁର, ଅନୁଗୋଳ, ତ୍ରିକୂଡ଼ା, ରାୟଗଡ଼ା ସମେତ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଉଛି। ଏହାକୁ କଣ୍ଢେଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦିଆଯାଇଛି। ଏନେଇ କାଳିଆବାଲିସ୍ଥିତ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ, ମା’ ଦକ୍ଷିଣ କାଳୀ ଟ୍ରକ ମାଲିକ ସଂଘ, ଗଞ୍ଜାମ ଟ୍ରକ ମାଲିକ ସଂଘ, ଆସିକା ଏବଂ ଭଞ୍ଜନଗର ଶାଖାର ଟ୍ରକ ମାଲିକମାନେ କାମ ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

କୋଭିଡ୍‌ ମହାମାରୀ ସମୟରୁ ୧୨୦୦ରୁ ଅଧିକ ଟ୍ରକ ମାଲିକ ପରିବହନ ନ ପାଇ ଗାଡିର ଇଏମ୍‌ଆଇ ଦେଇପାରୁ ନାହାନ୍ତି। ଏହା ସହିତ ପରିବାର ପ୍ରତିପୋଷଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କରି ଶୁକ୍ରବାର ୫ଟି ସଂସ୍ଥାର ଶତାଧିକ ଟ୍ରକ୍‌ ମାଲିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଚମାଖଣ୍ଡିସ୍ଥିତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ମୁଖ୍ୟ ଫାଟକ ସମ୍ମୁଖରେ ଟ୍ରକ୍‌ ମାଲିକମାନେ ଧାରଣାରେ ବସିଛନ୍ତି। ପରିବହନ କାର୍ଯ୍ୟରେ ସ୍ଥାନୀୟ ମାଲିକମାନଙ୍କୁ ନିୟୋଜିତ କରିବାକୁ ଦାବି କରାଯାଇଛି। ଫଳରେ ପ୍ରଶାସନର ଏକ ପ୍ରକାର ମୁଣ୍ଡ ବଥାର କାରଣ ହୋଇଛି।

ଖବର ପାଇ ଗଞ୍ଜାମ ଅତିରିକ୍ତ ଏସ୍‌ପି ଅଜୟ କୁମାର ମିଶ୍ର, ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ, ଚମାଖଣ୍ଡି ଥାନା ପୋଲିସ ଏବଂ ଛତ୍ରପୁର ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆସନ୍ତା ମଙ୍ଗଳବାର ଜିଲା ପ୍ରଶାସନ ଏବଂ ଟ୍ରକ୍‌ ମାଲିକଙ୍କ ମଧ୍ୟରେ ଏକ ବୈଠକ ହେବାନେଇ ସୂଚନା ମିଳିଛି। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, କଣ୍ଢେଇଟ୍ରାନ୍ସପୋର୍ଟ ବ୍ରହ୍ମପୁର ଅଞ୍ଚଳର କିଛି ଟ୍ରକ ମାଲିକଙ୍କୁ ହାତ କରି ସ୍ଥାନୀୟ ଲୋକଙ୍କ ରୋଜଗାରରେ ଲାତ ମାରୁଛନ୍ତି। ଏହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତବନୀ ଦେଇଛନ୍ତି।

Share