ଧର୍ମଶାଳା,୨୮ା୧୨(ବଟକୃଷ୍ଣ ପରିଡ଼ା): ଗୋମାଂସ ବୋଝେଇ ହୋଇଯାଉଥିବା ସନ୍ଦେହ କରି ଏକ ଟ୍ରକ୍କୁ ଅଟକାଇବା ପରେ ଏଥିରୁ ମାଛ ଖାଦ୍ୟ ଓ ମଲା ଟସର ପୋକ ମିଳିଛି। ଏହି ଘଟଣା ଏଠାରେ ଆଲୋଚ୍ୟର ବିଷୟ ହୋଇଛି।
ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଡ୍ଲ୍ୟୁବି-୪୧-ଏଫ-୦୮୮୬ନଂ. ବିଶିଷ୍ଟ ଟ୍ରକ୍ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଟ୍ରକରୁ କିଛି ତରଳ ପଦାର୍ଥ ବୋହୁଥିବା କେତେଜଣ ଯୁବକ ଦେଖିଥିଲେ। ତେଣୁ ଗୋମାଂସ ଯାଉଥିବା ସନ୍ଦେହ କରି ଯୁବକମାନେ ଧର୍ମଶାଳା ଅଞ୍ଚଳର ଗୋରକ୍ଷକମାନଙ୍କୁ ଜଣାଇଥିଲେ। ଗୋରକ୍ଷକମାନେ ରାଜପଥର ରଥିଆ ଛକ ନିକଟରେ ଗାଡ଼ି ଅଟକାଇ ପୋଲିସକୁ ଖବର ଦେଇଥିଲେ। ଗାଡ଼ିରୁ ଦୁର୍ଗନ୍ଧ ଓ ତରଳ ପଦାର୍ଥ ବାହାରୁଥିବାରୁ ପୋଲିସ ସନ୍ଦେହରେ ଟ୍ରକ୍କୁ ଥାନାକୁ ନେଇ ଯାଞ୍ଚ କରିଥିଲା। ଟ୍ରକ୍ ଡାଲାରୁ ପାଲ ଖୋଲିବା ପରେ ସେଥିରେ କୁକୁଡ଼ା ପୁଣ୍ଟି ଓ ମଲା ଟସର ପୋକ ଥିବା ଦେଖିବାକୁ ମିଳିଥିଲା। ମାଛ ଖାଦ୍ୟ ପାଇଁ ଏହାକୁ ପଶ୍ଚିମବଙ୍ଗ ନିଆଯାଉଥିବା ଜଣାପଡ଼ିଥିଲା। ପରେ ପୋଲିସ ଟ୍ରକ୍କୁ ଛାଡ଼ିଦେଇଥିଲା।