ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ

କଟକ ଅଫିସ, ୧୨ା୧: ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ ୧୧ ତାରିଖ ମଧ୍ୟରାତ୍ରିରୁ ହେବାକୁ ଥିବା ଟ୍ରକ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କ ସହ ଆଲୋଚନା ଓ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ ଖେଳ ହେବାକୁ ଥିବାରୁ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଟ୍ରକ ଧର୍ମଘଟକୁ ପ୍ରତ୍ୟାହାର କରାଯାଇଛି ବୋଲି ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ ବୁଧବାର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ମହାସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୫ ଦାବି ନେଇ ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ଘୋଷଣା କରିଥିଲା। କିନ୍ତୁ ଗତ ୯ ତାରିଖରେ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟ୍ରକ ମାଲିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ସ୍କ୍ରାପିଂ ପଲିସି ପରିବର୍ତ୍ତନ, ଟ୍ରକ ଭଡ଼ା ଧାର୍ଯ୍ୟ ଏବଂ ଟୋଲ୍‌ଗେଟ୍‌ଗୁଡିକରେ ଟ୍ରକରୁ ଆଦାୟ ହେଉଥିବା ଦେୟ ମାଲ ପରିବହନକାରୀ କମ୍ପାନୀ ଭରଣା କରିବା ବିଷୟରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ପାଢୀ କହିଥିଲେ। ଏହି ବୈଠକରେ ପରିବହନ କମିଶନର ଅରୁଣ ବୋଥ୍ରା, ମହାସଂଘ ସଭାପତି ବିଭୂତି ପ୍ରସାଦ ଦାସ, ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ, କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପାଣି, ଉପସଭାପତି ଶିବ ପ୍ରସାଦ ମିଶ୍ର ଓ ସୁମନ୍ତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Share