ଆଜିଠୁ ଟ୍ରକ୍‌ ଚଳାଚଳ ବନ୍ଦ ଡାକରା

ଭୁବନେଶ୍ୱର, ୨୩ା୧୧ (ବ୍ୟୁରୋ):ନିର୍ମାଣ କାର୍ଯ୍ୟ ଲାଗି ବାଲି, ଗୋଡ଼ି, ମୋରମ, ପଥର ଇତ୍ୟାଦି ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ମାଲ ପରିବହନ ଶିଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବହନରେ ନିୟୋଜିତ ଗାଡ଼ି, ମାଲିକ ଓ ଚାଳକଙ୍କ ଉତ୍ସର୍ଗୀକୃତ ସେବା ତାତ୍ପର୍ଯ୍ୟପୂର୍ଣ୍ଣ। ହେଲେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିୟମ ପାଇଁ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଦ୍ରବ୍ୟ ପରିବହନରେ ନିୟୋଜିତ ଗାଡ଼ିଗୁଡ଼ିକ ଉପରେ ସରକାରୀ ଅଫିସରମାନେ ଅନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ ହୋଇଛି। ଆହୁରି କୁହାଯାଇଛି, ପ୍ରଥମେ ସରକାର ନିଜ ଦାୟିତ୍ୱ ଠିକ୍‌ରେ ତୁଲାନ୍ତୁ। ଯେଉଁ ବାଲିଘାଟରେ ଦୁର୍ନୀତି ହେଉଛି ସେଠାରେ ଯାଞ୍ଚ କରାଯାଉ। ଗାଡ଼ିଗୁଡ଼ିକ ଉପରେ ମାତ୍ରାଧିକ ଜରିମାନା ଆଦାୟକୁ ନେଇ ଟ୍ରକ ମାଲିକ ସଂଘ ତରଫରୁ ନିକଟରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ହେଲେ ଆଲୋଚନା ବିଫଳ ହେବାପରେ ସୋମବାରଠାରୁ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି। ସଂଘ ପକ୍ଷରୁ କୁହାଯିବା କଥା, ବିଭିନ୍ନ ସ୍ବୀକୃତିପ୍ରାପ୍ତ ବାଲିଘାଟଠାରୁ ଟ୍ରକଗୁଡ଼ିକ ବାଲି କିଣିଥାଆନ୍ତି। ଏହି ସମୟରେ ବାଲିଘାଟର ଲିଜଧାରୀମାନେ ଗାଡ଼ିଗୁଡ଼ିକୁ ସରକାର ଦେଉଥିବା ଟ୍ରାନଜିଟ୍‌ ଫର୍ମ ଦେବା କଥା। ହେଲେ ଏହା ଦେଉନାହାନ୍ତି। ଯେଉଁଥିଲାଗି ବିଭିନ୍ନ ସ୍ଥାନରେ ବାଲି ଗାଡ଼ି ଉପରେ ଚଢ଼ାଉ କରି ସରକାରୀ ଅଧିକାରୀ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି। ଏହାକୁ ଯଦି ସରକାର ରୋକିବାକୁ ଚାହୁଁଛନ୍ତି ତେବେ ଗାଡିରେ ଜିପିଏସ ବ୍ୟବସ୍ଥା କରାଯାଉ ବୋଲି ମାଲିକ ସଂଘ ଦାବି କରିଛି।

Share