ମେକ୍ସିକୋରେ ଟ୍ରକ-ଭ୍ୟାନ ଧକ୍କା: ୨୬ ମୃତ…

ମେକ୍ସିକୋ ସିଟି,୧୫।୫ : ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉତ୍ତର ରାଜ୍ୟର ତମାଉଲିପାସର ଏକ ରାଜପଥରେ ଟ୍ରାକ୍ଟର ଟ୍ରେଲର ଏବଂ ଭ୍ୟାନ ମଧ୍ୟରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟ ରାଜଧାନୀ ସିଉଦାଦ ଭିକ୍ଟୋରିଆର ଏକ ରାଜପଥରେ ଏହି ଦୁଇଟି ଗାଡି ଧକ୍କା ଦେଇଥିଲା। ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରକଟି ଘଟଣାସ୍ଥଳରେ ନ ଥିବା ଜାଣିବାକୁ ପାଇଥିଲେ।

ତମାଉଲିପାସ କାର୍ଯ୍ୟାଳୟର ଏକ ସୂତ୍ରରୁ ପ୍ରକାଶ ଟ୍ରକ ଡ୍ରାଇଭର ପଳାଇ ଯାଇଛନ୍ତି କିମ୍ବା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ତାହା ଅନୁସନ୍ଧାନକାରୀମାନେ ଜାଣି ପାରି ନାହାଁନ୍ତି। ଭ୍ୟାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ସୂଚନାନୁସାରେ, ସମସ୍ତ ବ୍ୟକ୍ତି ମେକ୍ସିକୋର ଥିଲେ ଏବଂ ସେମାନଙ୍କଠାରୁ ଜାତୀୟ ପରିଚୟ ପତ୍ର ମିଳିଛି।

Share