ପାଣିକୁ ଖସିପଡ଼ିଲା ଟ୍ରକ୍‌ ଡାଲା, ଯିଏ ପାରିଲେ ଯେତେ ବୋହିନେଲେ ଫଳ

ଭଣ୍ଡାରିପୋଖରୀ,୨୪ା୯(ରାଜେନ୍ଦ୍ର ଶତପଥୀ): ଭଣ୍ଡାରିପୋଖରୀ ଥାନା ୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ମଙ୍ଗଳବାର ଏକ ଫଳ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ଥିବା ମହାନ୍ତି ପୋଲବାଡ଼କୁ ଧକ୍କା ଦେଇ ଟ୍ରକ୍‌ ଡାଲା ପାଣିକୁ ଖସି ପଡ଼ିଥିଲା। ପାଣିରେ ଭାସୁଥିବା ଫଳକୁ ଲୋକେ ବୋହି ନେଇଯାଇଛନ୍ତି। ସୂଚନା ଅନୁଯାୟୀ, କୋଲକାତାରୁ ସେଓ ବୋଝେଇ କରି ଟ୍ରକ୍‌ଟି ବିଶାଖାପାଟଣା ଯାଉଥିଲା। ଭୋର ସମୟରେ ଚାଳକଙ୍କ ଆଖି ଲାଗିଯିବାରୁ ଗାଡ଼ି ମହାନ୍ତିପୋଲ ବାଡ଼କୁ ଧକ୍କା ଦେଇଥିଲା। ସେଓ ବୋଝେଇ ଡାଲା ଟ୍ରକ୍‌ରୁ ବାହାରି ଯାଇ ୨୦ ଫୁଟ୍‌ ଗଭୀର ପାଣିରେ ପଡ଼ିଯାଇଥିଲା। ପାଣିରେ ଭାସୁଥିବା ସେଓ ପେଟିକୁ ଲୋକେ ବୋହି ନେଇ ଯାଇଥିଲେ। ଏହି ଦୁର୍ଘଟଣାରେ ଟ୍ରକ୍‌ ହେଲ୍‌ପର ଆହତ ହୋଇଛନ୍ତି। ଖବରଲେଖା ହେବା ସୁଦ୍ଧା ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

Share