ନୂଆଦିଲ୍ଲୀ,୨୯।୧୧: ଭାକ୍ୟୁମ୍ବରରେ ଥିବା ଇଣ୍ଡିଆନ କନସୁଲେଟର ଅଧିକାରୀମାନଙ୍କୁ ଅଡିଓ ଏବଂ ଭିଡିଓ ନଜରରେ ରଖାଯିବା ବିଷୟରେ ନିକଟରେ କାନାଡା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ସଭାକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନିକଟରେ ଭାକ୍ୟୁମ୍ବରରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନଙ୍କୁ କାନାଡା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯେ, ସେମାନଙ୍କୁ ଅଡିଓ ଏବଂ ଭିଡିଓ ନଜରରେ ରଖାଯାଉଛି ଏବଂ ସେମାନଙ୍କର ବ୍ୟକ୍ତିଗତ ଚିଠି ଉପରେ ମଧ୍ୟ ନଜର ରଖାଯାଉଛି। ନଭେମ୍ବର ୨୪, ୨୦୨୪ରେ ନୂଆଦିଲ୍ଲୀରେ କାନାଡା ହାଇ କମିଶନଙ୍କ ସହ ଭାରତ ସରକାର ଏହି ପ୍ରସଙ୍ଗରେ ତୀବ୍ର ବିରୋଧ କରିଥିଲେ କାରଣ ଏହି କାର୍ଯ୍ୟ ସବୁ କୂଟନୈତିକ ବ୍ୟବସ୍ଥାର ଚରମ ଉଲ୍ଲଂଘନ ଅଟେ।
ସେ କହିଛନ୍ତି, କାନାଡା ସରକାର ଆମ କୂଟନୀତିଜ୍ଞ ଏବଂ କନସୁଲେଟରମାନଙ୍କୁ ହଇରାଣ କରୁଛି ଏବଂ ଭୟଭୀତ କରୁଛି। ଉଗ୍ରବାଦ ଏବଂ ହିଂସା ପରିବେଶ କାନାଡା ସରକାରଙ୍କ ଏହି କାର୍ଯ୍ୟ ପରିସ୍ଥିତିକୁ ଆହୁରି ଖରାପ କରି ଦେଇଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କାନାଡାରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରଶ୍ନରେ ଆମର କୂଟନୈତିକ କର୍ମଚାରୀ ଏବଂ ସମ୍ପତ୍ତି ସବୁ ସମୟରେ ପର୍ଯ୍ୟାପ୍ତ ନିରାପତ୍ତା ଯୋଗାଇ ଦିଆଯିବା ପାଇଁ ଭାରତ ସରକାର କାନାଡା ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।