ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କାନାଡା: ଜଷ୍ଟିନ ଟ୍ରୁଡୋ

ଓଟାଓ୍ବା,୧୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ନିଜର ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ, କାନାଡା ବର୍ତ୍ତମାନ ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କିନ୍ତୁ ଏହି ଗୁରୁତର ପ୍ରସଙ୍ଗରେ ନୂଆଦିଲ୍ଲୀ ସହିତ ଗଠନମୂଳକ କାର୍ଯ୍ୟ କରିବାକୁ ଚାହୁଁଛି।

ଟ୍ରୁଡୋ ଶୁକ୍ରବାର ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଭାରତ ଭିଏନା ସମ୍ମିଳନୀକୁ ଉଲ୍ଲଂଘନ କରିଛି। ୪୦ରୁ ଅଧିକ କାନାଡିୟ କୂଟନୀତିଜ୍ଞଙ୍କଠାରୁ କୂଟନୈତିକ ପ୍ରତିରକ୍ଷା ପ୍ରତ୍ୟାହାର କରିବାକୁ ନୂଆଦିଲ୍ଲୀ ଧମକ ଦେଇଥିଲା। ଏହା ପରେ କାନାଡା ଏହାର କୂଟନୀତିଜ୍ଞଙ୍କୁ ଭାରତରୁ ସ୍ଥାନାନ୍ତର କରିଥିଲା।

ଚଳିତ ବର୍ଷ ଜୁନ ୧୮ରେ ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କୁ ହତ୍ୟା କରାଯାଇଥିଲା। ସେପ୍ଟେମ୍ବରରେ ଟ୍ରୁଡୋ ଦେଶର ସଂସଦକୁ ସମ୍ବୋଧିତ କରିବାବେଳେ ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଥିଲା। ଭାରତ ୨୦୨୦ରେ ନିଜାରକୁ ଆତଙ୍କବାଦୀ ଘୋଷଣା କରିଥିଲା।

Share