ସତ ହେଲା …

ନବାଗତ ରାଜବୀର। ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଅରୁନ୍ଧତୀ’ ଚଳିତ ବର୍ଷ ଦଶହରା ଅବସରରେ ମୁକ୍ତିଲାଭ କରିଛି। ‘ଫିଲ୍ମଟିକୁ ପ୍ରାରମ୍ଭରୁ ଆଶାନୁରୂପ ସଫଳତା ମିଳିଛି ଏହା ମୋ କ୍ୟାରିୟର ଶୁଭପ୍ରଦ ସାବ୍ୟସ୍ତ ହେବ ବୋଲି କହନ୍ତି ଏହି ନବାଗତ। ରମେଶ ରାଉତଙ୍କ ନିର୍ଦ୍ଦେଶନାରେ ଏହି ଆକ୍ସନପ୍ୟାକ୍‌ଡ ଫିଲ୍ମରେ ରାଜବୀରଙ୍କ ନାୟିକା ସାଜିଛନ୍ତି ଏଲିନା ପ୍ରିୟଦର୍ଶିନୀ। ପ୍ରଥମ ସିନେମାରୁ ସଫଳତା ପାଇବା ସମ୍ପର୍କରେ ରାଜବୀର କହନ୍ତି, ‘ଯେତେବେଳେ ଏହାର କାହାଣୀ ବିଷୟରେ ଆଲୋଚନା ହେଲା ସେତେବେଳେ ମୁଁ ପୂର୍ବାନୁମାନ କରିଥିଲି ଯେ ଏହି ସିନେମାଟି ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ। ରିଲିଜ ହେବାର ପ୍ରଥମ ସପ୍ତାହରେ ଏହାର ସଫଳତା ମୋ ପାଇଁ ପ୍ରେରଣାଦାୟକ ହୋଇଛି। ଏହି ଭୂମିକାକୁ ତୁଲାଇବାକୁ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଥିଲା। ଏଣିକି ମୋତେ ମିଳୁଥିବା ଅଫରଗୁଡ଼ିକୁ ଭଲ ଭାବରେ ତର୍ଜମା କରିବା ପରେ ହିଁ ସାଇନ୍‌ କରିବି। ରମେଶ ବାରିକ ଏବଂ ଅଜିତାଭ ମଲ୍ଲିକଙ୍କ ପ୍ରଯୋଜିତ ଉକ୍ତ ସିନେମାର ସଂଳାପ ରଚନା ଡ. ରଜନୀ ରଞ୍ଜନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

Share