କରୋନା ମହାମାରୀକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତୁଳନା କଲେ ଟ୍ରମ୍ପ୍‌

ଜେନେଭା, ୨୩।୯: କରୋନା ମହାମାରୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତୁଳନା କରିଛନ୍ତି। ଜାତିସଂଘର ୭୫ ବର୍ଷପୂର୍ତ୍ତି ପାଳନ ଅବସରରେ ଟ୍ରମ୍ପ୍‌ ଏଭଳି କହିଛନ୍ତି। କରୋନା ମହାମାରୀ ଯୋଗୁ ପୃଥିବୀର ୧୮୮ଟି ଦେଶରେ ଆତଙ୍କ ଦେଖାଦେଇଛି ବୋଲି ସେ କହିଛନ୍ତି। ଦ୍ୱିତୀୟ ବିଶ୍ୱ ଯୁଦ୍ଧକୁ ଇତିମଧ୍ୟରେ ୭୫ ବର୍ଷ ବିତିଥିଲେ ବି ଏବେ ଚାଇନାରୁ ସୃଷ୍ଟି ହୋଇଥିବା ଭୂତାଣୁ ଯୋଗୁ ସାରା ପୃଥିବୀର ସାମାଜିକ ତଥା ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶାନ୍ତି ପାଇଁ ଜାତିସଂଘର ସ୍ଥାପନା କରାଯାଇଥିଲା। ତେବେ ଆମେ ପୁଣି ଏକ ବିଶ୍ୱ ଯୁଦ୍ଧ ସମାନ ସଙ୍କଟର ସମ୍ମୁଖୀନ ହୋଇଛେ। ବିଭିନ୍ନ ଦେଶର ବହୁ ଲୋକଙ୍କର କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଛି। ଏବେ ବି କରୋନା ସଂକ୍ରମଣ ଜାରି ରହିଛି। ପୃଥିବୀ ଏକ ଉଜ୍ୱଳ ଭବିଷ୍ୟତ ମୁହାଁ ହୋଇଛି। ମାତ୍ର କରୋନା ସଂକ୍ରମଣ ଯୋଗୁ ତାହା ସମ୍ଭବ ହୋଇ ପାରୁନାହିଁ। ଏପରିସ୍ଥଳେ ଚାଇନାକୁ ଏହି କାର୍ଯ୍ୟର ଉତ୍ତର ଦେବାକୁ ପଡ଼ିବ। କରୋନା ସଂକ୍ରମଣର ପ୍ରାରମ୍ଭିକ ଦିନରେ ଚାଇନା ଘରୋଇ ଉଡ଼ାଣ ଉପରେ କଟକଣା ଜାରି କରିଥିବାବେଳେ ଜାଣିଶୁଣି ପୃଥିବୀରେ ମହାମାରୀ ବ୍ୟାପିବାର ସୁଯୋଗ ସୃଷ୍ଟି ଲାଗି ଅନ୍ତର୍ଜାତୀୟ ଉଡ଼ାଣ ଜାରି ରଖିଥିଲା। କରୋନା ସଂକ୍ରମଣ ତଥ୍ୟ ପ୍ରଦାନରେ ଚାଇନା ସରକାର ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟ ବେଶ୍‌ ସନ୍ଦେହ ଜନକ। ମାନବ ଶରୀର ଉପରେ କରୋନା ସଂକ୍ରମଣର ପ୍ରଭାବ ସମ୍ପର୍କରେ ପୂର୍ବରୁ ଜଣାପଡ଼ିଥିଲେ ବହୁ ଧନଜୀବନ ହାନୀକୁ ରୋକା ଯାଇ ପାରିଥାନ୍ତା ବୋଲି ଟ୍ରମ୍ପ୍‌ କହିଛନ୍ତି।

Share