ଟ୍ରମ୍ପ୍‌ ମୁଣ୍ଡ ଢଳାଇବାରୁ ଅଳ୍ପକେ ବର୍ତ୍ତିଗଲେ

ଓ୍ବାଶିଂଟନ,୧୬ା୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ରିପବ୍ଲିକାନ୍‌ ରାଷ୍ଟ୍ରପତି ପାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ପେନ୍‌ସିଲ୍‌ଭାନିଆର ବଟଲର ସହରରେ ଏକ ରାଲିକୁ ସମ୍ବୋଧିତ କରୁଥିବାବେଳେ ଶେଷ ମୁହୂର୍ତ୍ତରେ ନିଜ ମୁଣ୍ଡକୁ ବାମପାର୍ଶ୍ୱକୁ ଢଳାଇଥିବାରୁ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଗଲେ ବୋଲି ଜଣାପଡ଼ିଛି। ସୀମା ନୀତି ଉପରେ ଭାଷଣ ଦେଉଥିବାବେଳେ ଟ୍ରମ୍ପ୍‌ ବେଆଇନ ପ୍ରବାସୀମାନଙ୍କ ତଥ୍ୟ ଦେଖିବା ପାଇଁ ମୁଣ୍ଡକୁ ଢଳାଇ ରଖିଥିଲେ। ଏହି ସମୟରେ ଗୁଳିଟି ତାଙ୍କ ଡାହାଣ କାନରେ ମାଡ଼ ହୋଇଥିଲା। ବେଆଇନ ଅପ୍ରବାସୀ ଚାର୍ଟ ମୋ ଜୀବନ ବଞ୍ଚାଇଦେଲା ବୋଲି ଟ୍ରମ୍ପ୍‌ କହିଛନ୍ତି। ହତ୍ୟା ଉଦ୍ୟମ ପରେ ସେ ନିଜକୁ ସମ୍ଭବତଃ ମୃତ ବୋଲି ଭାବିନେଇଥିଲେ। ଶନିବାରର ଉକ୍ତ ଘଟଣାକୁ ସେ ଏକ ଅବାସ୍ତବ ଅନୁଭବ ବୋଲି କହିଛନ୍ତି। ଗୁଳିକାଣ୍ଡ ପରେ ଆମେରିକା ଗଣମାଧ୍ୟମକୁ ପ୍ରଥମ ସାକ୍ଷାତ୍‌କାର ଦେଇ ୭୮ ବର୍ଷୀୟ ଟ୍ରମ୍ପ୍‌ କହିଛନ୍ତି, ସେ ଭାଗ୍ୟ କିମ୍ବା ଭଗବାନଙ୍କ ପାଇଁ ମୃତ୍ୟୁମୁଖରୁ ବର୍ତ୍ତିଗଲେ। ସେ କେବଳ ମୁଣ୍ଡକୁ ଗୋଟିଏ ପାର୍ଶ୍ୱକୁ ନୁଅଁାଇ ନ ଥିଲେ, ଠିକ୍‌ ସମୟରେ ଓ ଠିକ୍‌ ଭାବରେ ହିଁ ଢଳାଇଥିବାରୁ ଗୁଳି ତାଙ୍କ କାନରେ ବାଜିଲା, ଯାହା ତାଙ୍କୁ ସହଜରେ ମାରିପାରିଥାନ୍ତା। ଏହି ଗୁଳିକାଣ୍ଡରେ ଟ୍ରମ୍ପ୍‌ଙ୍କର ଜଣେ ସମର୍ଥକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ। ଗୁଳି ଚଳାଇଥିବା ୨୦ ବର୍ଷୀୟ ଥୋମାସ୍‌ ମାଥ୍ୟୁ କ୍ରୁକ୍ସ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟଙ୍କ ଗୁଳିରେ ନିହତ ହୋଇଥିଲେ।

Share