କିମ୍‌ଙ୍କୁ ଅଭିନନ୍ଦନ ଜଣାଇ ଟ୍ରମ୍ପ୍‌ ଅଡ଼ୁଆରେ

ଓ୍ବାଶିଂଟନ, ୫ା୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟକାରିଣୀ ବୋର୍ଡରେ ଉତ୍ତର କୋରିଆ ସାମିଲ ହେବାକୁ ନେଇ ଏହାର ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ଦଳ ରିପବ୍ଲିକାନ୍‌ ଟ୍ରମ୍ପ୍‌ଙ୍କୁ ଏଥିପାଇଁ ସମାଲୋଚନା କରିଛି। ଟ୍ରମ୍ପ୍‌ ଟ୍ରୁଥ୍‌ ସୋସିଆଲ୍‌ରେ ଅଭିନନ୍ଦନ ଜଣାଇବା ପରେ ରିପବ୍ଲିକାନ୍‌ ଦଳର ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ଓ ରାଜ୍ୟ ପାର୍ଟି ନେତାମାନେ ଏହାକୁ ନିନ୍ଦା କରିଛନ୍ତି। ତାଙ୍କର ପୂର୍ବତନ ଜାତିସଂଘ ରାଷ୍ଟ୍ରଦୂତ ନିକ୍କି ହାଲି ଟୁଇଟ୍‌ କରି କହିଛନ୍ତି, କିମ୍‌ ଜଙ୍ଗ୍‌ ଉନ୍‌ ନିଜ ଲୋକମାନଙ୍କୁ ଭୋକରେ ରଖିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ଉତ୍ତର କୋରିଆ ପ୍ରମୁଖ ଭୂମିକା ନେବା ସମ୍ପୂର୍ଣ୍ଣ ଫାର୍ସ୍‌ ବୋଲି ନିକ୍କି କହିଛନ୍ତି। ଜୋ ବାଇଡେନ୍‌ଙ୍କଠାରୁ ଦେଶର ଶାସନ କ୍ଷମତା ଫେରାଇ ନେବାକୁ ହେଲେ ଉତ୍ତର କୋରିଆର ଜଣେ ହତ୍ୟାକାରୀ ଏକଚ୍ଛତ୍ରବାଦୀଙ୍କୁ ଅଭିନନ୍ଦନରୁ ଆରମ୍ଭ କରନାହିଁ ବୋଲି ଜର୍ଜିଆ ଗଭର୍ନର ବ୍ରିଆନ୍‌ କେମ୍ପ୍‌ କହିଛନ୍ତି।

Share