ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି: ଫେରିଲେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ, ୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇ ହ୍ବାଇଟ୍‌ ହାଉସ୍‌ ଫେରିଛନ୍ତି। ଶୀଘ୍ର କାମରେ ଯୋଗଦେବେ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଶୁକ୍ରବାର ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେଣୁ ତାଙ୍କୁ ବେଥେସଡ଼ାସ୍ଥିତ ଓ୍ବାଲଟର ରିଡ୍‌ ନ୍ୟାଶନାଲ୍‌ ମିଲିଟାରୀ ମେଡ଼ିକାଲ ସେଣ୍ଟରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଟ୍ରମ୍ପ୍‌ଙ୍କ ଅକ୍ସିଜେନ୍‌ସ୍ତର କମ୍‌ ଥିବାରୁ ତାଙ୍କୁ ୨ ଥର ଅକ୍ସିଜେନ୍‌ ଦିଆଯାଇଥିବା ମେଡ଼ିକାଲ କଲେଜର ଡାକ୍ତର କୋନେଲ କହିଛନ୍ତି। ହସ୍ପିଟାଲରୁ ଫେରିଥିବା ନେଇ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ନିର୍ବାଚନ ପ୍ରଚାର ଶୀଘ୍ର ଆରମ୍ଭ କରିବେ ବୋଲି କହିଛନ୍ତି। ଟ୍ରମ୍ପ୍‌ ହସ୍ପିଟାଲରୁ ବାହାରି ହ୍ବାଇଟ୍‌ରେ ପ୍ରବେଶ କରୁଥିବାର ୨ମିନିଟ୍‌ ୩୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚି ମୁହଁରୁ ମାକ୍ସ୍‌ ଖୋଲି ପକେଟରେ ରଖି ଲୋକଙ୍କୁ ହାତ ହଲାଇ ସ୍ବାଗତ କରୁଥିବାର ଭଡ଼ିଓରେ ଦେଖିବାକୁ ମିଳୁଛି।

Share