
ଫ୍ଲୋରିଡା,୧୯।୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲେ। ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ମୁଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି। ରାଷ୍ଟ୍ରପତି ହେବା ପରେ ଯେତେବେଳେ ମୁଁ କାର୍ଯ୍ୟାଳୟକୁ ଆସିଲି, ମୁଁ ଏଲନ ମସ୍କଙ୍କୁ କହିଥିଲି ଯେ ଆମକୁ ସେମାନଙ୍କୁ (ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର) ଫେରାଇ ଆଣିବାକୁ ପଡିବ। ବିଡେନ ସେମାନଙ୍କୁ ଛାଡ଼ି ଦେଇଛନ୍ତି। ଏବେ ସେମାନେ ଫେରି ଆସିଛନ୍ତି। ସେମାନେ ସୁସ୍ଥ ହେଲେ ଓଭାଲ ଅଫିସ (ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ)କୁ ଆସିବେ।
ସୁନୀତା ଏବଂ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଉପରେ, ହ୍ବାଇଟ ହାଉସ ପକ୍ଷରୁ ଏକ୍ସ ପୋଷ୍ଟରେ କୁହାଯାଇଥିଲା ଯେ, ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ ହେଲା। ରାଷ୍ଟ୍ରପତି ଟ୍ରମ୍ପ ୯ ମାସ ଧରି ମହାକାଶରେ ଫସି ରହିଥିବା ମହାକାଶଚାରୀଙ୍କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ସେମାନେ ସୁରକ୍ଷିତ ଭାବରେ ପୃଥିବୀରେ ଅବତରଣ କରିଛନ୍ତି। ଏଲନ ମସ୍କ, ସ୍ପେସଏକ୍ସ ଏବଂ ନାସାକୁ ଧନ୍ୟବାଦ।
ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପ୍ରାୟ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ସକାଳ ୩.୨୭ରେ ଡ୍ରାଗନ କ୍ୟାପସୁଲ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲା।
ଆମେରିକାର ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ୮ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନ ମାଧ୍ୟମରେ ମହାକାଶକୁ ଯାଇଥିଲେ। ଏହା ନାସାର ଏକ ୮ ଦିନିଆ ମହାକାଶ ଅଭିଯାନ ଥିଲା, କିନ୍ତୁ ଏହି ମହାକାଶଯାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ, ନାସା ସେମାନଙ୍କୁ ଫେରାଇ ଆଣିବାକୁ ଅନେକ ଥର ଚେଷ୍ଟା କରିଥିଲା, କିନ୍ତୁ ଉଭୟ ମହାକାଶଚାରୀ ଫେରିପାରି ନ ଥିଲେ। ଶେଷରେ ନଅ ମାସ ପରେ ଉଭୟଙ୍କୁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ପୃଥିବୀକୁ ଫେରାଇ ଅଣାଯାଇଛି।