ବଳାତ୍କାର ଅଭିଯୋଗ ଆଣିଥିବା ଲେଖିକାଙ୍କ ବିରୋଧରେ ସାକ୍ଷ୍ୟ ଦେଲେ ଟ୍ରମ୍ପ…

ଓ୍ବାଶିଂଟନ,୨୦।୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖକ ଇ. ଜାନ କାରୋଲଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ୧୯୯୬ ମସିହାର ପ୍ରାରମ୍ଭରେ ତାଙ୍କୁ ବଳାତ୍କାର କରିଥିଲେ।

୭୮ ବର୍ଷିୟ କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ତାଙ୍କୁ ନ୍ୟୁୟର୍କର ଏକ ଡିପାର୍ଟମେଣ୍ଟ ଷ୍ଟୋରରେ ବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ, କାରୋଲ ମଧ୍ୟ ୨୦୧୯ରେ ଟ୍ରମ୍ପଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। କାରୋଲର ପ୍ରତିନିଧିତ୍ୱ କରୁଥିବା ନ୍ୟୁୟର୍କ ଆଇନ ସଂସ୍ଥା ଏକ ବିବୃତ୍ତିରେ କହିଛି ଯେ, ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆମେ ବୟାନ ନେବାରେ ସଫଳ ହୋଇଛୁ। ଏନେଇ ଆମେ ଖୁସି। ଆମେ ଆଶା କରୁଛୁ ଶୀଘ୍ର ଏହି ମାମଲାରେ ନ୍ୟାୟ ପାଇବୁ। ତେବେ ସାକ୍ଷ୍ୟ ଗ୍ରହଣ ସମୟରେ ଟ୍ରମ୍ପ ଯାହା କହିଛନ୍ତି ତାହା ପ୍ରକାଶ ପାଇ ନାହିଁ।

ନ୍ୟୁୟର୍କର ଏକ ପତ୍ରିକାରେ ପ୍ରକାଶିତ ହୋଇଥିବା ତଥ୍ୟରେ କାରୋଲ କହିଥିଲେ ଯେ ସେ ୧୯୯୫ ଶେଷରେ ଏବଂ ୧୯୯୬ ପ୍ରାରମ୍ଭରେ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ବୈଠକ ବରଜଡର୍ଫ ଗୁଡମ୍ୟାନ ଡିପାର୍ଟମେଣ୍ଟ ଷ୍ଟୋରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ। ସୂଚନା ଅନୁଯାୟୀ, ସେହି ସମୟରେ ଟ୍ରମ୍ପ ଏବଂ କାରୋଲଙ୍କ ବୟସ ପ୍ରାୟ ୫୦ ବର୍ଷ ଥିଲା। କାରୋଲ କହିଛନ୍ତି ଯେ ସେ ତାଙ୍କର ଦୁଇ ବନ୍ଧୁଙ୍କୁ ଏହି ଘଟଣା ବିଷୟରେ କହିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ପୋଲିସ ଷ୍ଟେଶନକୁ ଯିବାକୁ କହିଥିଲେ। କିନ୍ତୁ ଅନ୍ୟ ଜଣେ ବନ୍ଧୁ କହିଥିଲେ ଯେ ଏହାକୁ ଭୁଲିଯାଅ! ଟ୍ରମ୍ପଙ୍କର ୨୦୦ ଓକିଲ ଅଛନ୍ତି। ସେ ତୁମକୁ କବର ଦେଇ ଦେବେ।

ତେବେ ଏହି ଅଭିଯୋଗ ପରେ ଟ୍ରମ୍ପ କହିଥିଲେ ଯେ ସେ କାରୋଲ ନାମକ ଏହି ମହିଳାଙ୍କୁ କେବେ ଭେଟି ନାହାଁନ୍ତି। ଆମେରିକାର ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।

Share