ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନେଇ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ…

ଓ୍ବାଶିଂଟନ,୧୨।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋର ବନ୍ଧୁମାନେ ଆଜିକାଲି ଚାଇନା ଯାଉଛନ୍ତି। ସେଠାରେ ସେମାନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚାଟୁକାର ପାଲଟି ଯାଇଛନ୍ତି। ନ୍ୟୁୟର୍କରେ ତାଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ଟ୍ରମ୍ପ ପ୍ରଥମ ଥର ପାଇଁ ଗଣମାଧ୍ୟମ ସହ କଥା ହୋଇଛନ୍ତି।

ସେ କହିଛନ୍ତି, ମୁଁ ଅଫିସ ଛାଡିବା ପରଠାରୁ ଆମେରିକା ବିଶ୍ୱରେ ପ୍ରଭାବ ହରାଉଛି। ଗୋଟିଏ ପ୍ରକାରେ, ଆମେରିକାର ପ୍ରଭାବ ବିଶ୍ୱରେ ଶେଷ ହୋଇଛି। ପୃଥିବୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମେରିକା କିଛି କହୁନାହିଁ। ମୋର ବନ୍ଧୁ ମାକ୍ରୋନ ଚାଇନା ଯାଇ ସେଠାରେ ଚାଟୁକାର କାର୍ଯ୍ୟ କରୁଛନ୍ତି। ଫ୍ରାନ୍ସ ବର୍ତ୍ତମାନ ଚାଇନା ସହ ସମ୍ପର୍କ ସ୍ଥାପନ କରୁଛି।

ଉଲ୍ଲେଖନୀୟ ବିଷୟ ହେଉଛି, ଗତ ସପ୍ତାହରେ ମାକ୍ରୋନଙ୍କ ଚାଇନା ଗସ୍ତ ପରେ ଏକ ବିବାଦ ସୃଷ୍ଟି ହୋଇଛି। ସେ ଚେତାବନୀ ଦେଇଛନ୍ତି ୟୁରୋପୀୟମାନେ ଆମେରିକାର ବୈଦେଶିକ ନୀତିରେ ନିଜକୁ ନିୟୋଜିତ କରିବା ଉଚିତ ନୁହେଁ। ମାକ୍ରୋନ କହିଛନ୍ତି, ତାଇୱାନର ଭାଗ୍ୟକୁ ନେଇ ବେଜିଂ ଏବଂ ୱାଶିଂଟନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ୟୁରୋପୀୟ ଦେଶମାନେ ଫସିବା ଅନାବଶ୍ୟକ। ତାଇୱାନକୁ ପୁନର୍ବାର ନିୟନ୍ତ୍ରଣ କରିବାକୁ ଚାଇନା ଶପଥ ନେଇଥିବାବେଳେ ତାଇୱାନକୁ ରକ୍ଷା କରିବାରେ ଆମେରିକା ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Share