କ୍ୱାରାଣ୍ଟାଇନରେ ଟ୍ରମ୍ପଙ୍କ ବଡ଼ ପୁଅ

ୱାଶିଂଟନ,୨୧ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଟ୍ରମ୍ପଙ୍କ ପରିବାରରେ କରୋନା ସଂକ୍ରମିତ ହେବାରେ ସେ ହେଉଛନ୍ତି ଚତୁର୍ଥ ବ୍ୟକ୍ତି । ଏହା ପୂର୍ବରୁ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ଏହାସହ ତାଙ୍କ ସାନପୁଅ ବେରନ ବି କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଡୋନାଲ୍ଡ ଟ୍ରମ୍ପ କରୋନାର ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମେଲାନିଆ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ପ୍ରକାଶ ଥାଉକି ଏହା ପୂର୍ବରୁ ଅର୍ଥାତ୍ ଗ୍ରୀଷ୍ମ ସମୟରେ ଡୋନାଲ୍ଡ ଟ୍ର୍‌ମ୍ପ ଜୁନିୟରଙ୍କ ପ୍ରେମିକା କିମ୍ବର୍ଲି ଗିଲଫାଁୟଲ ବି କରୋନାରେ ସଂକ୍ରମିତ ହୋଇଥିଲେ । ଏବେ ଜୁନିୟର ଟ୍ରମ୍ପଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନ ଥିଲେ ବି ସେ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ ପ୍ରବକ୍ତା କହିଛନ୍ତି । ଯାହା ଫଳରେ ସେ ନିଜକୁ କ୍ୱାରାଣ୍ଟାଇନରେ ରଖିଛନ୍ତି ।

Share