ଟ୍ରମ୍ପ୍‌ଙ୍କ ଆଦେଶ: ସୋମାଲିଆରୁ ସ୍ବଦେଶ ଫେରିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ, ୫।୧୨: ସୋମାଲିଆରେ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ଜାରି ରଖିଥିବା ଆମେରିକାର ୭୦୦ ସୈନ୍ୟ ସ୍ବଦେଶ ଫେରିବେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୨୦୨୧ ଜାନୁୟାରୀ ୧୫ ସୁଦ୍ଧା ସୈନ୍ୟମାନେ ଆମେରିକା ଫେରିବେ ବୋଲି କୁହାଯାଉଛି। ଆମେରିକା ସୈନ୍ୟ ବାହିନୀ ଇସଲାମିକ୍‌ ଷ୍ଟେଟ୍‌ ଏବଂ ଅଲ୍‌-ଶବାବ୍‌ ଆତଙ୍କବାଦୀଙ୍କ ବିରୋଧରେ ସୋମାଲିଆ ସୁରକ୍ଷାକର୍ମୀଙ୍କ ସହିତ ମିଶି ଲଢ଼େଇ ଜାରି ରଖିଥିଲେ। ଏହା ପୂର୍ବରୁ ଟ୍ରମ୍ପ ଆଫଗାନିସ୍ତାନ ଏବଂ ଇରାନରୁ ସୈନ୍ୟ ବାହିନୀଙ୍କୁ ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଜାରି କରିଥିଲେ। ଆମେରିକା ସୈନ୍ୟ ବାହିନୀ ଅନ୍ୟଦେଶରେ ଦୀର୍ଘଦିନ ଧରି ରହି ଲଢ଼େଇ ଜାରି ରହିବା ଯୋଗୁ ଖର୍ଚ୍ଚ ବଢୁଥିବାରୁ ଟ୍ରମ୍ପ୍‌ ଏଭଳି ପଦକ୍ଷେପ ନେବାକୁ କହି ଆସୁଥିଲେ। ଅପରପକ୍ଷରେ ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ବିଦେଶରେ ହେଉଥିବା ଆତଙ୍କବାଦୀ ଅଭିଯାନରୁ ବେଶି ସୁଫଳ ମିଳୁ ନ ଥିବାରୁ ସେ ଏଭଳି କରିବା ଲାଗି ଚାପ ପକାଉଥିଲେ। ଏଭଳି କରି ଟ୍ରମ୍ପ୍‌ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏମ୍ପରଙ୍କ ନୀତିକୁ ବିରୋଧ କରିଛନ୍ତି। ମାର୍କ ସୋମାଲିଆରେ ଆମେରିକା ସୈନ୍ୟ ବାହିନୀର ଉପସ୍ଥିିତିକୁ ସମର୍ଥନ କରୁଥିଲେ। ଟ୍ରମ୍ପ୍‌ ମାର୍କଙ୍କୁ ନଭେମ୍ବରରେ ପଦରୁ ହଟାଇଥିଲେ।

Share