ନିର୍ବାଚନ ଘୁଞ୍ଚାଇବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତାବ

ଓ୍ବାଶିଂଟନ, ୩୧ା୭:ମେଲ୍‌ ଜରିଆରେ ଭୋଟ ହେଲେ ଜାଲିଆତି ସମ୍ଭାବନା ଥିବା ଆଶଙ୍କା କରି ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଛନ୍ତି। ତେବେ ଜାଲିଆତି ହେବା ନେଇ ସେ କୌଣସି ପ୍ରମାଣ ଦେଇନାହାନ୍ତି। ଗୁରୁବାର ସକାଳେ ଟ୍ରମ୍ପ୍‌ ଟୁଇଟ୍‌ କରି କହିଥିଲେ, ମେଲ୍‌ ଜରିଆରେ ଭୋଟ ହେଲେ ବ୍ୟାପକ ଜାଲିଆତି ହୋଇପାରେ। ତେଣୁ ଲୋକେ ସୁରକ୍ଷିତ ଓ ନିରାପଦର ସହ ଭୋଟ ଦେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବା ଉଚିତ ବୋଲି ସେ କହିଥିଲେ। କରୋନା ମହାମାରୀ ଆମେରିକାରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲାବେଳେ ଇତିମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭୋଟକେନ୍ଦ୍ରକୁ ଯାଇ ଭୋଟ ଦେଲେ କରୋନା ବ୍ୟାପିବା ସମ୍ଭାବନା ଥିବାରୁ ମେଲ୍‌ ଜରିଆରେ ଭୋଟ ଦେବାକୁ କେତେକ ରାଜ୍ୟ ଭୋଟିଂ ନିୟମରେ ପରିବର୍ତ୍ତନ କରିଛନ୍ତି। ତେବେ ଏଭଳି ଭୋଟିଂକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଦ୍ୱିତୀୟ ତ୍ରୈମାସିକରେ ଆମେରିକାର ଅର୍ଥନୀତି ୩୨.୯ ପ୍ରତିଶତ ଖସିଥିବା ବାଣିଜ୍ୟ ବିଭାଗ ରିପୋର୍ଟ କରିବାର କିଛି ସମୟ ପରେ ଟ୍ରମ୍ପ୍‌ ଏଭଳି ଟୁଇଟ୍‌ କରିଛନ୍ତି। ସେହିପରି ଦେଶରେ ବେରୋଜଗାରୀ ବଢ଼ୁତ୍ଥବାରୁ ଅଧିକରୁ ଅଧିକ ଆମେରିକୀୟ ବେରୋଜଗାରୀ ସହାୟତା ପାଇବା ପାଇଁ ଚାହୁଁଥିବା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପୂର୍ବତନ ରାଷ୍ଟ୍ରପତି ଜନ୍‌ ଟାଇଲରଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିବା ଆଇନ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ମାସର ପ୍ରଥମ ସୋମବାର ପରେ ପ୍ରଥମ ମଙ୍ଗଳବାର ଅନୁଷ୍ଠିତ ହୋଇଥାଏ। କଂଗ୍ରେସ ଯଦି ଆଇନ ନ ଆଣେ ତେବେ ନିର୍ବାଚନ ତିଥିରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ଗୃହ ଏବେ ଡେମୋକ୍ରାଟ୍‌ ପାର୍ଟି ନିୟନ୍ତ୍ରଣରେ ଥିବାରୁ ଏହା କରାଯିବା ସହଜ ନୁହେଁ।

Share